ଭୁବନେଶ୍ୱର: ତାରିଖ ଫିକ୍ସ ହୋଇସାରିଥିଲା । ସୁପାରି ବି ମିଳିଥିଲା । କେବଳ ପଡ଼ିଥାନ୍ତା ବମ୍। ଆଉ ଅଶାନ୍ତ ହୋଇଥାନ୍ତା ରାଜଧାନୀ । ଠିକ ଏତିକି ବେଳେ ଫୁଟିଗଲା ବୋମା । ରାଜଧାନୀର ଛାତି ଉପରେ ଏୟାରଫିଲଡ଼ ଥାନା ଅନ୍ତର୍ଗତ ନିୟୁ ଆଜାଦ ନଗରରେ ବୋମା ଭିଡ଼ିବା ବେଳେ ଫୁଟିବାରୁ ୫ ଜଣ ଆହତ ହୋଇଛନ୍ତି । ବୋମା ଫୁଟିବା ପରର ଏ ଦୃଶ୍ୟ ଟିକେ ଭଲକରି ଦେଖନ୍ତୁ । ଏ ଚିତ୍ର ଯେତିକି ଭୟଙ୍କର, ସେତିକି ସମ୍ବେଦନଶୀଳ । ବୋମା ଫୁଟି ଆହତ ହୋଇଥିବା ଯୁବକଙ୍କ ନାଁରେ ପୂର୍ବରୁ ରହିଛି ଅନେକ ସଙ୍ଗୀନ ମାମଲା । ଏହି ଘଟଣାରେ ମଧ୍ୟ ଅପରାଧିକ ମାମଲା ଆହତଙ୍କ ନାଁ ରେ ରୁଜୁ ହୋଇଥିବା କହିଛନ୍ତି ଭୁବନେଶ୍ୱର ଡିସିପି । ସେପଟେ NIA ଘଟଣାରେ ତଦନ୍ତ ଆରମ୍ଭ କରିଥିବା ବେଳେ ଅପରାଧୀଙ୍କ ପାଇଁ ବଢ଼ିପାରେ ଅଡ଼ୁଆ।
କେବଳ ଏହି ଘଟଣା ନୁହେଁ । ବାଲିପାଟଣା ଥାନା ନରିଶୋରେ ଘଟିଥିବା ଏ ଦୃଶ୍ୟ ଦେଖନ୍ତୁ । ବାଣ ଭିଡା ଚାଲିଥିବା ବେଳେ ରାତି ପ୍ରାୟ ୧୦ଟା ୩୦ ରେ ଘଟିଥିଲା ଭୟଙ୍କର ବିସ୍ଫୋରଣ । ଥରି ଉଠିଥିଲା ଛାତ । ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ହୋଇଛନ୍ତି ଗୁରୁତର ଆହତ ହୋଇଛନ୍ତି । ଏମିତି ମାଳ ମାଳ ବେଆଇନ ବାଣ କାରଖାନା ଚାଲିବା ଏବେ ପୋଲିସ ପାଇଁ ପାଲଟିଛି ଚିନ୍ତାର କାରଣ । ବିନା ଲାଇସେନ୍ସରେ ବେଆଇନ ବାଣ ତିଆରି ଯୋଗୁଁ ଘଟୁଛି ପ୍ରାଣଘାତି ବିଭୀଷିକା। ଆଇନ ଅଛି, ଦଣ୍ଡବିଧାନ ବି ଅଛି । ହେଲେ ଏହାର ଅନୁପାଳନ ନହେବାରୁ ପାଣି ଫୋଟକା ଭଳି ଚାଲିଯାଉଛି ଜୀବନ । ବାରମ୍ବାର ଏଭଳି ଘଟଣାର ପୁନରାବୃତ୍ତି ଘଟୁଛି । କିନ୍ତୁ ପ୍ରଶାସନିକ ଅବହେଳା ପାଇଁ ଖସି ଯାଉଛନ୍ତି ଦୁର୍ବୃତ୍ତ।

