ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବଲିଉଡ ଅଭିନେତା ଆର୍ ମାଧବନ ଓ ପରିବାର, ପ୍ରଶଂସା କରି କହିଲେ ଏଭଳି କଥା

1 min read

ଭୁବନେଶ୍ୱର: ୨୨ ବର୍ଷ ଧରି ଲଗାତର ମୁଖ୍ୟମନ୍ତ୍ରୀ ରହିବା କେବେ ନଶୁଣା ଯାଇଥିବା ଭଳି ଘଟଣା । କେବଳ ରାଜନୈତିକ ଅଙ୍କକଶା ଦ୍ୱାରା ଲମ୍ବା ଅବଧି ପାଇଁ କ୍ଷମତାର କେହି ରହିପାରିବେ ନାହିଁ । ଏଥିପାଇଁ ଲୋକ ସମର୍ଥନ ଆବଶ୍ୟକ । ଭୁବନେଶ୍ୱର ବହୁତ ସୁନ୍ଦର ଓ ସଫା । କଳିଙ୍ଗ ଷ୍ଟାଡିୟମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁତ କିଛି କରିଛନ୍ତି । ଏହା ହେଉଛି ଅଭିନେତା ମାଧବନଙ୍କ ଶବ୍ଦ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୁଳକ ସାକ୍ଷାତ କାଳରେ ସେ ଏହା କହିଛନ୍ତି ।

ବଲିଉଡ୍ ଓ ସାଉଥ୍ ଫିଲ୍ମ ଦୁନିଆର ପ୍ରସିଦ୍ଧ ଅଭିନେତା ଆର. ମାଧବନ ଓ ପରିବାର ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ । ସାକ୍ଷାତ କାଳରେ ମୁଖ୍ୟମନ୍ତ୍ରୀ ମାଧବନଙ୍କ ପୁଅ ଭେଦାନ୍ତଙ୍କୁ ତାଙ୍କ ଉପଲବ୍ଧି ପାଇଁ ଶୁଭେଛା ଜଣାଇବା ସହିତ ସେ ଭାରତ ପାଇଁ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଆଣିବେ ବୋଲି ଆଶା ବ୍ୟକ୍ତ କରିଥିଲେ ।

ଏହି ସମୟରେ ମାଧବନ କଳିଙ୍ଗ ଷ୍ଟାଡିୟମରେ ହୋଇଥିବା କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ଖେଳାଳୀଙ୍କ ରହିବା ପାଇଁ ଷ୍ଟାଡିୟମରେ ଯେଉଁ ବ୍ୟବସ୍ଥା କରାଯାଇଛି ତାହା ଚମତ୍କାର । ମୁଖ୍ୟମନ୍ତ୍ରୀ ମଧ୍ୟ ନିକଟରେ ମୁକ୍ତିଲାଭ କରିଥିବା ମାଧବନଙ୍କ ଫିଲ୍ମ ରକେଟାରୀର ଉଲ୍ଲେଖ କରି ଫିଲ୍ମକୁ ପ୍ରଶଂସା କରିଥିଲେ । ଉତ୍ତରରେ ମାଧବନ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଫିଲ୍ମର ସ୍ପେଶାଲ ସ୍କ୍ରିନିଂର ପ୍ରସ୍ତାବ ଦେଇଥିଲେ । ଭୁବନେଶ୍ୱରର ପରିବେଶକୁ ମାଧବନ ପ୍ରଶଂସା କରିଥିଲେ ।

ସେ କହିଥିଲେ ଯେ, ଭୁବନେଶ୍ୱର ବହୁତ ସଫାସୁତରା । ମୁଁ ଅଧିକ ଦେଖିନାହିଁ କିନ୍ତୁ ଯେତିକି ଦେଖିଛି ସେଥିରୁ ଭୁବନେଶ୍ୱର ବେସ ସ୍ୱଛ । ୨୨ ବର୍ଷ ଧରି ଲଗାତର ମୁଖ୍ୟମନ୍ତ୍ରୀ ରହିବା ଆଶ୍ଚର୍ଯ୍ୟଜନକ ଓ କେବଳ ରାଜନୈତିକ ଗଣିତ ଦ୍ୱାରା ଏହା ସମ୍ଭବ ନୁହେଁ ବୋଲି ମାଧବନ କହିଥିଲେ । ଏହି ସାକ୍ଷାତ ଅବସରରେ ମୁଖ୍ୟମନ୍ତ୍ରୀ ମାଧବାନ ଏବଂ ପରିବାରକୁ ହକି ଇଣ୍ଡିଆର ଜର୍ସି ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ଯେ, ମାଧବନଙ୍କ ସହିତ ତାଙ୍କ ପତ୍ନୀ ଓ ପୁଅ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । କଳିଙ୍ଗ ଷ୍ଟାଡିୟମରେ ହୋଇଥିବା ସ୍ୱିମିଙ୍ଗ ପ୍ରତିଯୋଗିତାରେ ଅତିଥି ଭାବେ ଆର ମାଧବନ ଯୋଗ ଦେଇଥିଲେ । ତାଙ୍କ ପୁଅ ଭେଦାନ୍ତ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ ।