ପୋର୍ଟାଲ୍ ଜରିଆରେ ୨୦ ହଜାର ପ୍ରବାସୀ ଶ୍ରମିକଙ୍କୁ ଘର ଦେବାର ପ୍ରତିଶୃତି ଦେଲେ ସୋନୁ ସୁଦ

1 min read

ମୁମ୍ବାଇ:ସାରା ଦେଶରେ କରୋନା ମହାମାରୀ ପ୍ରଭାବ ଜାରି ରହିଛି । ଏହି ମହାମାରୀରେ ପ୍ରଭାବିତ ତ ସମସ୍ତେ ହୋଇଛନ୍ତି । କିନ୍ତୁ ଅଧିକ ପ୍ରଭାବିତ ହୋଇଛନ୍ତି ପ୍ରବାସୀ ଶ୍ରମିକ । ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏହି ବର୍ଗର ବ୍ୟକ୍ତିବିଶେଷ । ଏଭଳି କଠିନ ପରିସ୍ଥିତିରେ ପ୍ରବାସୀ ଶ୍ରମିକ ମାନଙ୍କୁ ସହାୟତାର ହାତ ବଢାଇ ସମସ୍ତଙ୍କ ସାମ୍ନାରେ ମହାନ୍‌ ହୋଇ ଯାଇଛନ୍ତି ଅଭିନେତା ସୋନୁ ସୁଦ୍ ।

ଚାଲି ଚାଲି ଯାଉଥିବା ଏକାଧିକ ପ୍ରବାସୀ ଶ୍ରମିକଙ୍କୁ ବସ ମାଧ୍ୟମରେ ତାଙ୍କ ଘରକୁ ପଠାଇଛନ୍ତି । ଏହା ସହିତ ନିଜର ୪୭ ତମ ଜନ୍ମ ବାର୍ଷିକୀରେ ସେ ପ୍ରବାସୀ ଶ୍ରମିକ ମାନଙ୍କୁ ରୋଜଗାର ଦେବାର ପ୍ରତିଶୃତି ଦେଇଛନ୍ତି । ଏଥିପାଇଁ ସେ ‘ପ୍ରବାସୀ ରୋଜଗାର’ ନାମକ ଏକ ଆପ୍‌ ଲଞ୍ଚ କରିଛନ୍ତି । ନିଜ ପ୍ରୟାସରେ ସେ ୫୮ ଜଣ ଶ୍ରମିକଙ୍କୁ ରୋଜଗାର ଯୋଗାଇଛନ୍ତି ।

ଏବେ ସୋନୁ ଏକ ବଡ଼ କାମ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି । ସେ ଏଭଳି ଏକ କାମ କରିଛନ୍ତି ଯାହା ସରକାରଙ୍କ ପକ୍ଷରେ ମଧ୍ୟ କଷ୍ଟସାଧ୍ୟ । ସୋନୁ ୨୦ ହଜାର ପ୍ରବାସୀ ଶ୍ରମିକଙ୍କୁ ନୋଏଡାରେ ଘର ଅଫର କରିଛନ୍ତି । ନିଜେ ଟ୍ୱିଟ କରି ଏହାର ସୂଚନା ଦେଇଛନ୍ତି ସୋନୁ । ସେ ଲେଖିଛନ୍ତି ନ୍ୟାସନାଲ ଆସୋସିଏସନ ଫର ଏଲିବେଶନ କଣ୍ଟ୍ରାକ୍ଟରର ଅଧ୍ୟକ୍ଷ ଲଳିତ ଠୁକରାଲଙ୍କ ସହିତ ମିଶି ୨୪ ଘଣ୍ଟା କାମ କରି ପ୍ରବାସୀ ଶ୍ରମିକଙ୍କୁ ଘର ଦେବେ ।

 

ପ୍ରତିଦିନ କିଭଳି ଅସହାୟମାନେ ସହାୟତା ପାଇଁ ଭିନ୍ନ ଭିନ୍ନ ମାଧ୍ୟମରେ ତାଙ୍କ ନିକଟକୁ ଆସନ୍ତି ସେହି ଖବର ମଧ୍ୟ ଟ୍ୱିଟରରେ ସୂଚନା ଦେଇଥିଲେ ସୋନୁ । ସୋନୁଙ୍କୁ ଗୋଟିଏ ଦିନରେ ୧୧୩୭ ଇ-ମେଲ,୧୯ ହଜାର ଫେସବୁକ ମେସେଜ,୪୮୧୨ ଇଂଷ୍ଟାଗ୍ରାମ ମେସେଜ,୬୭୪୧ ଟ୍ୱିଟର ମେସେଜ ମାଧ୍ୟମରେ ସହାୟତା ମଗାଯାଇଥିଲା । ତେବେ କିଭଳି ସମସ୍ତଙ୍କୁ ସହାୟତା କରାଯାଇପାରିବ ତାହା ଉପରେ କାମ କରୁଛନ୍ତି ସୋନୁ ।

Leave a Reply