ଡଟ୍ ଫେଷ୍ଟରେ ଝୁମୁଛି ରାଜଧାନୀ, ଆଜି ଝୁମାଇବେ ବଲିଉଡ ସିଙ୍ଗର ଅମିତ ତ୍ରିବେଦୀ

ଭୁବନେଶ୍ୱର: ଡଟ୍ ଫେଷ୍ଟରେ ଝୁମୁଛି ରାଜଧାନୀ । ଆଜି ମେଗା ଇଭେଣ୍ଟର ସପ୍ତମ ଦିନ । ସନ୍ଧ୍ୟାରେ ଜମିବ ମନୋରଞ୍ଜନ । ଲୋକଙ୍କୁ ଝୁମାଇବେ ବଲିଉଡ ସିଙ୍ଗର ଅମିତ ତ୍ରିବେଦୀ । ଗତକାଲି ଷଷ୍ଠ ଦିନରେ ସୁନୀଲ ଗ୍ରୋଭରଙ୍କ କମେଡି ଶୋ’ରେ ହସି ହସି ବେଦମ ହେଲେ ଦର୍ଶକ । ଓଡ଼ିଆ କଣ୍ଠଶିଳ୍ପୀ ଶଶାଙ୍କଙ୍କ ଗୀତରୁ ଆରମ୍ଭ ହୋଇଥିଲା ଷଷ୍ଠଦିନର ସନ୍ଧ୍ୟା । ପରେ ମଞ୍ଚକୁ ଆସିଥିଲେ ବଲିଉଡର ପ୍ରତିଷ୍ଠିତ କମେଡିଆନ୍ ସୁନୀଲ ଗ୍ରୋଭର । ଡାକ୍ତର ମସୁର ଗୁଲାଠୀ ଚରିତ୍ରରେ ଧମାକାଦାର ଏଣ୍ଟ୍ରି କରି ଡାକ୍ତର ଓ ନର୍ସଙ୍କର କେମେଷ୍ଟ୍ରିରେ ଦର୍ଶକଙ୍କୁ ହସାଇଥିଲେ । ପରେ ଦର୍ଶକଙ୍କ ମଧ୍ୟରୁ ୧୦ ଅଧିକ ମହିଳାଙ୍କୁ ମଞ୍ଚ ଉପରକୁ ଡାକିନେଇ ଖୁବ ନଚାଇଥିଲେ ସୁନୀଲ । ପରେ ପରେ ହଠାତ୍ ନକଲି ଅମିତାଭ ବଚ୍ଚନଙ୍କ ଚରିତ୍ରରେ ମଞ୍ଚ ଉପରକୁ ଆସି କୌନ ବନେଗା କରୋଡପତିର ମିମିକ୍ରି କରିଥିଲେ ସୁନୀଲ । ଯାହାର ନାଁ ଥିଲା କୌନ ଲାୟେଗା ଚା ପତି । ଦର୍ଶକଙ୍କ ମଧ୍ୟରୁ ନବବିବାହିତ କପୁଲଙ୍କୁ ନେଇ ଆରମ୍ଭ ହୋଇଥିଲା ଗେମ୍ ।

ଶେଷରେ ଗୁଥି ଚରିତ୍ରରେ ବିବାହ ପାଇଁ ସୁନୀଲ ଖୋଜିଥିଲେ ବର । ପ୍ରଥମେ ଓଲିକୁ ବରଣମାଳା ପିନ୍ଧାଇବା ଓ ପରେ ପରେ ଜଣେ ଯୁବକଙ୍କୁ ବିବାହ କରିବା ଦୃଶ୍ୟ ବେଶ୍ ରୋମାଞ୍ଚକର ଥିଲା । ସନ୍ଧ୍ୟାର ଶେଷରେ ବଲିଉଡ କଣ୍ଠଶିଳ୍ପୀ ଶିଳ୍ପା ରାଓ ସମସ୍ତଙ୍କୁ ଝୁମାଇଥିଲେ । ଦର୍ଶକଙ୍କ ଗହଣକୁ ଆସି ଜୋସ୍ ଭରିଥିଲେ ଶିଳ୍ପା । ନିଜେ ନାଚିବା ସହିତ ଅନ୍ୟକୁ ମଧ୍ୟ ନଚାଇଥିଲେ ଶିଳ୍ପା । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ ଡଟଫେଷ୍ଟ । ଆସନ୍ତାକାଲି ଦେଖିବାକୁ ମିଳିବ ହାଇଭୋଲଟେଜ୍ ଶୋ’ । ୯୦ ଦଶକର ବଲିଉଡ ସିଙ୍ଗର ଉଦିତ ନାରାୟଣ ଏବଂ ଆଲକା ୟାଗ୍ନୀଙ୍କ ଜଲଓ୍ବା ଦେଖିବେ ଦର୍ଶକ ।