ବଲିଉଡ୍ ସଂଗୀତ ନିର୍ଦ୍ଦେଶକ ରାମଲକ୍ଷ୍ମଣଙ୍କ ହୃଦଘାତରେ ନିଧନ

1 min read
Bollywood Music Director Raam Laxman Dies In Heart Attack

ମୁମ୍ବାଇ: ୧୯୯୦ ଦଶକର ପ୍ରସିଦ୍ଧ ବଲିଉଡ୍ ସଂଗୀତ ନିର୍ଦ୍ଦେଶକ ରାମଲକ୍ଷ୍ମଣଙ୍କର ହୃଦଘାତରେ ନିଧନ ହୋଇଯାଇଛି । ଶନିବାର ସକାଳରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା । ନାଗପୁର ସ୍ଥିତ ନିଜ ବାସଭବନରେ ସେ ଅନ୍ତିମ ନିଶ୍ୱାସ ତ୍ୟାଗ କରିଛନ୍ତି । ହିନ୍ଦୀ ସହିତ ମରାଠୀ ଓ ଭୋଜପୁରୀ ଫିଲ୍ମ ପାଇଁ ସେ ସଂଗୀତ ନିର୍ଦ୍ଦେଶନା ଦେଇ ନିଜ ପାଇଁ ଅଲଗା ସ୍ଥାନ ତିଆରି କରିଥିଲେ ।

କରୋନାର ଦ୍ୱିତୀୟ ଟିକା ନେବା ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଯାଇଥିଲ । ଏହାପରେ ତାଙ୍କୁ ଡାକ୍ତର ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ ।
ରାମଲକ୍ଷ୍ମଣଙ୍କ ପ୍ରକୃତ ନାମ ବିଜୟ ପାଟିଲ ଥିଲା । ତେବେ ବଲିଉଡରେ ପ୍ରବେଶ ସହିତ ସେ ନିଜ ନାମ ପରିବର୍ତ୍ତନ କରିଥିଲେ । ୧୯୯୦ ଦଶକର ପ୍ରସିଦ୍ଧ ଓ ବ୍ଲକବଷ୍ଟର ଫିଲ୍ମ ମୈନେ ପ୍ୟାର କିୟାର ସେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ରାଜଶ୍ରୀ ପ୍ରଡକ୍ସନ ଦ୍ୱାରା ପ୍ରସ୍ତୁତ ଏହି ଫିଲ୍ମ ସେହି ଦଶକର ସବୁଠୁ ସଫଳ ଫିଲ୍ମ ଥିଲା । ସୋଲେ ପରେ ଆୟ ଦୃଷ୍ଟିରୁ ଏହା ସବୁଠାରୁ ସଫଳ ଫିଲ୍ମ ଥିଲା । ମୈନେ ପ୍ୟାର କିୟା ସଲମାନଙ୍କୁ ସୁପରଷ୍ଟାର ବନାଇଥିଲା ଓ ବଲିଉଡକୁ ପୁଣି ଥରେ ରୋମାନ୍ସ-ମ୍ୟୁଜିକାଲ ଫିଲ୍ମର ଯୁଗ ଫେରିଥିଲା । ରାମଲକ୍ଷ୍ମଣ ରାଜଶ୍ରୀ ପ୍ରଡକ୍ସନର ପ୍ରଥମ ପସନ୍ଦ ଥିଲେ ।

ମୈନେ ପ୍ୟାର କିୟା ସହିତ ହମ ସାଥ୍ ସାଥ୍ ହୈ, ହମ୍ ଆପକେ ହୈ କୌନ୍ ଭଳି ସୁପର ଡୁପର ହିଟ୍ ଫିଲ୍ମର ସଂଗୀତ ନିର୍ଦ୍ଦେଶକ ଭାବେ ସେ କାର୍ଯ୍ୟ କରିଥିଲେ । ରାମଲକ୍ଷ୍ମଣଙ୍କ ନିଧନରେ ଲତା ମଙ୍ଗେସକର ଶୋକ ବ୍ୟକ୍ତ କରିଛନ୍ତି । ଟ୍ୱିଟ୍ କରି ଲତା ଲେଖିଛନ୍ତି ଯେ,ସେ ବହୁତ ଭଲ ବ୍ୟକ୍ତି ଥିଲେ । ମୁଁ ତାଙ୍କ ପାଇଁ ଅନେକ ଗୀତ ଗାଇଛି ।

Leave a Reply