ଡ୍ରଗ୍ସ ମାମଲାରେ ଏବେ କରନ ଜୋହରଙ୍କ ନାଁ, ଆଉ ୧୨ ସେଲିବ୍ରିଟିଙ୍କୁ ଜେରା କରିପାରେ NCB
ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରି ବର୍ତ୍ତମାନ ଏହାର ସବୁଠାରୁ କଠିନ ପର୍ଯ୍ୟାୟ ଦେଇ ଗତି କରୁଛି । ଡ୍ରଗ୍ ମାମଲାରେ ଏନସିବିର ତଦନ୍ତ ଦ୍ରୁତ ଗତିରେ ଆଗକୁ ମାଡ଼ି ଚାଲିଛି । ଗୋଟିଏ ପରେ ଗୋଟିଏ ନୂଆ ପେଡ଼ି ଖୋଲିବାରେ ଲାଗିଛି ଏନ୍ସିବି । ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ ଏବଂ ଶ୍ରଦ୍ଧା କପୁରଙ୍କ ନାଁ ଏହି ଡ୍ରଗ୍ସ ମାମଲାରେ ଯୋଡାଯିବା ପରେ ଏହା ଅଧିକ ଚର୍ଚ୍ଚିତ ହୋଇଛି । ଏହି ସେଲିବ୍ରିଟି ମାନଙ୍କୁ ଜେରା ପରେ ଏବେ କରଣ ଜୋହରଙ୍କ ଦ୍ୱାରା ଅୟୋଜିତ ଏକ ପାର୍ଟି ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ପାର୍ଟିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଖାଲି ସେତିକି ନୁହେଁ ଭିଡିଓଟି ସମ୍ପୂର୍ଣ୍ଣ ଅସଲି ଏବଂ ଏଥିରେ କୌଣସି ପ୍ରକାର ଏଡିଟିଂ କରାଯାଇ ନାହିଁ ବୋଲି ତଦନ୍ତରୁ ଜଣାପଡ଼ିଛି । ତେବେ କରନ ଜୋହରଙ୍କ ଦ୍ୱାରା ଆୟୋଜିତ ଏହି ପାର୍ଟିରେ ଷ୍ଟାରମାନେ ଡ୍ରଗ୍ସ ସେବନ କରିଥିଲେ ବୋଲି ଅଭିଯୋଗ ହୋଇଛି ।
ସୂଚନାନୁସାରେ, ୨୦୧୯ ମସିହାରେ କରଣ ଜୋହରଙ୍କ ଏହି ପାର୍ଟି ଭିଡିଓର ଫୋରେନସିକ୍ ରିପୋର୍ଟ ଆସିଛି ଏବଂ ଏହା ଏନସିବି ଦ୍ୱାରା ଦାଖଲ ମଧ୍ୟ କରାଯାଇଛି । ଫୋରେନସିକ୍ ରିପୋର୍ଟରେ ଏହା ପ୍ରକାଶ ପାଇଛି ଯେ ଭିଡିଓଟି ପ୍ରକୃତ ଏବଂ ଏଥିରେ କୌଣସି ଏଡିଟିଂ କରାଯାଇ ନାହିଁ। ଏହି ପ୍ରସଙ୍ଗରେ ଏକ ବୈଠକ ଅନୁଷ୍ଠିତ ହେବ, ଯେଉଁଥିରେ ମଲହୋତ୍ରା ଏବଂ ଡିଡିଜି ଅଶୋକ ଜୈନ ନେତୃତ୍ୱ ନେବେ । ଏଥିରେ, ଏନସିବି ଏବଂ ଡିଜିଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ଯେ, ଏହି ମାମଲାରେ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ?
ଅନ୍ୟପଟେ କରନ୍ ଜୋହର କହିଛନ୍ତି ଯେ, ‘ମୁଁ ଡ୍ରଗ୍ସ ସେବନ କରେ ନାହିଁ କି ଏହାକୁ ପ୍ରୋତ୍ସାହିତ କରେ ନାହିଁ । ୨୮ ଜୁଲାଇ ୨୦୧୯ ରେ ମୋ’ ଘରେ ଯେଉଁ ପାର୍ଟି ଆୟୋଜନ ହୋଇଥିଲା ସେଥିରେ ଡ୍ରଗ୍ସ ବ୍ୟବହାର କରାଯାଇଥିଲା ବୋଲି ମିଥ୍ୟା ଖବର ପ୍ରଚାର କରାଯାଉଛି । ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ।’ ସେହିଭଳି କରନ୍ ଆହୁରି କହିଛନ୍ତି, ସେ କ୍ଷିତିଜ୍ ଏବଂ ଅନୁଭବଙ୍କୁ ଜାଣନ୍ତି ନାହିଁ । ସେମାନେ ଧର୍ମା ପ୍ରଡକ୍ସନ୍ସର ଅଧିକାରୀ ନୁହଁନ୍ତି । ନଭେମ୍ବର ୨୦୧୯ ରେ କ୍ଷୀତିଜ କେବଳ ଏକ ଚୁକ୍ତିରେ କାମ କରୁଥିଲେ । ଆଉ ଅନୁଭବ ଧର୍ମା ପ୍ରଡକ୍ସନ୍ସ ସହିତ ମାତ୍ର ଦୁଇମାସ କାମ କରିଥିଲେ । ତେବେ ଏଭଳି ମିଥ୍ୟା ପ୍ରଚାର ବିରୋଧରେ କରନ୍ ଜୋହର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି ।
୧୨ ଜଣ ତାରକାଙ୍କୁ ଜେରା କରିବ ଏନ୍ସିବି
ଡ୍ରଗ୍ସ ମାମଲାରେ ଆଉ ଏକ ନୂଆ ମୋଡ଼ ସାମ୍ନାକୁ ଆସିଛି । କ୍ଷୀତିଜ୍ ପ୍ରସାଦଙ୍କ ଓକିଲ ସତୀଶ ମନେଶିନ୍ଦେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ମହକିଲକୁ କଷ୍ଟଡିରେ ନର୍ଯାତନା ଦିଆଯାଉଛି ଏବଂ କରନ୍ ଜୋହରଙ୍କ ନାଁ ନେଇ ତାଙ୍କୁ ଫସାଇବାକୁ ବାଧ୍ୟ କରାଯାଉଛି । ସିଗାରେଟ୍ ବର୍ଡକୁ ଡ୍ରଗ୍ସ ବୋଲି କହି ଅଭିଯୋଗ କରାଯାଉଛି । ତେବେ ଆଗାମୀ ଦିନରେ କରନ ଜୋହରଙ୍କ ସହ କ’ଣ କରିବ ଏନ୍ସିବି, ତାହା ତ ପଛ କଥା । ହେଲେ କରୋନ ଜୋହରଙ୍କ ପାର୍ଟି ଭିଡିଓ ଯୋଗୁଁ ଆଉ ୧୨ ଜଣଙ୍କୁ ଜେରା କରିବା ପାଇଁ ଏନ୍ସିବି ପ୍ରସ୍ତୁତ ହେଉଛି ବୋଲି ସୂଚନା ମିଳିଛି ।