ଫିଲ୍ମ ଇଣ୍ଡଷ୍ଟ୍ରିକୁ ପୁଣି ଝଟକା, କର୍କଟ ରୋଗରେ ପୀଡିତ ଅଭିନେତ୍ରୀଙ୍କ ପରଲୋକ

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରୁ ଲଗାତାର ଖରାପ ଖବର ଶୁଣିବାକୁ ମିଳୁଛି । ସୁଶାନ୍ତ ସିଂ ରାଜପୁତଙ୍କ ପରେ ଏବେ ଅଭିନେତ୍ରୀ ଦିବ୍ୟା ଚୌକସେଙ୍କ ଦେହାନ୍ତ ହୋଇଛି। ବାସ୍ତବରେ ଅଭିନେତ୍ରୀ ଦିବ୍ୟା ଚୌକସେ ଗତ କିଛି ବର୍ଷ ଧରି କର୍କଟ ରୋଗ ସହ ଲଢୁଥିଲେ। କିନ୍ତୁ ସେ ଏହି ଯୁଦ୍ଧରେ ହାରିଗଲେ । ମାତ୍ର ୨୮ ବର୍ଷ ବୟସରେ କ୍ୟାନ୍ସର ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ତେବେ ଦିବ୍ୟାଙ୍କ ସମ୍ପର୍କୀୟ ଭଉଣୀ ମୃତ୍ୟୁ ବିଷୟରେ ଫେସବୁକ୍ ରେ ପୋଷ୍ଟ କରି ସୂଚନା ଦେଇଛନ୍ତି।

ଦିବ୍ୟାଙ୍କ ଭଉଣୀ ସୌମ୍ୟା ଭର୍ମା ଫେସବୁକରେ ଏକ ପୋଷ୍ଟ ଲେଖି ଦୁଃଖ ପ୍ରକାଶ କରିଛନ୍ତି । ଏକ ଫେସବୁକ୍ ପୋଷ୍ଟରେ ସେ ଲେଖିଛନ୍ତି ଯେ, “ତାଙ୍କ ଭଉଣୀ ଦିବ୍ୟା ଚୌକସେଙ୍କର କର୍କଟ ରୋଗ ହେତୁ ଖୁବ କମ୍ ବୟସରେ ଦେହାନ୍ତ ହୋଇଛି। ସେ ଲଣ୍ଡନରୁ ଏକ ଆକଟିଂ କୋର୍ସ କରିଥିଲେ । ଦିବ୍ୟା ଜଣେ ବହୁତ ଭଲ ମଡେଲ ଥିଲେ, ସେ ଅନେକ ଚଳଚ୍ଚିତ୍ର ଏବଂ ସିରିଏଲରେ କାମ କରିଥିଲେ। ଆଜି ସେ ସମସ୍ତଙ୍କୁ ଛାଡି ଚାଲିଗଲେ। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ବୋଲି ଲେଖିଛନ୍ତି ସୌମ୍ୟା ।

ମୃତ୍ୟୁ ପୂର୍ବରୁ ଦିବ୍ୟା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେଷ କାହାଣୀ ପୋଷ୍ଟ କରିଥିଲେ। ଏହି ପୋଷ୍ଟରେ ସେ ଲେଖିଛନ୍ତି ଯେ, ଏବେ ସେ ଦୁନିଆ ଛାଡି ଯାଉଛନ୍ତି । ଏହା ସହିତ, ଦିବ୍ୟା ଲେଖିଛନ୍ତି – ସେ ଯାହା କହିବାକୁ ଚାହୁଁଛନ୍ତି ତାହା ଶବ୍ଦ ପ୍ରକାଶ କରିପାରିବ ନାହିଁ । ଗତ ମାସରୁ ସେ ଅନେକ ମେସେଜ୍ ପାଇ ସାରିଛନ୍ତି । ସେ ଲେଖିଛନ୍ତି ଯେ, କେବଳ ଭଗବାନ ଜାଣନ୍ତି ଯେ ସେ ତାଙ୍କର ସବୁ ଫ୍ୟାନ୍ସ ଓ ଦର୍ଶକଙ୍କୁ କେତେ ଭଲ ପାଆନ୍ତି ।

ଅଭିନେତ୍ରୀ ଦିବ୍ୟା ଦିବ୍ୟା ଚୌକସେ ୨୦୧୧ ମସିହାରେ ମିସ୍ ୟୁନିଭର୍ସ ଇଣ୍ଡିଆ ପୁରସ୍କାର ପାଇଥିଲେ। ଏହା ପରେ ସେ କିଛି ମ୍ୟୁଜିକ୍ ଭିଡିଓ ଏବଂ ଟିଭି ଶୋ’ରେ କାମ କରିଥିଲେ । ୨୦୧୬ ମସିହାରେ ଦିବ୍ୟାଙ୍କର ପ୍ରଥମ ଚଳଚ୍ଚିତ୍ର ‘ଅପନା ଦିଲ୍ ତୋ ଆୱାରା’ ରିଲିଜ ହୋଇଥିଲା । ନିର୍ଦ୍ଦେଶକ ମଞ୍ଜୟ ମୁଖାର୍ଜୀଙ୍କ ଅନୁସାରେ ଏହି ଅଭିନେତ୍ରୀ ନିଜ ସହର ଭୋପାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୁଖାର୍ଜୀ କହିଛନ୍ତି, ପାଖାପାଖି ଦେଢ଼ ବର୍ଷ ଧରି ସେ କର୍କଟ ରୋଗ ସହ ଲଢୁଥିଲେ। ସେ ସୁସ୍ଥ ହୋଇଯାଇଥିଲେ, ମାତ୍ର କିଛି ମାସ ପରେ ପୁଣିଥରେ କର୍କଟରେ କଷ୍ଟ ପାଇଥିଲେ । କିନ୍ତୁ ଏଥର ସେ ସୁସ୍ଥ ହୋଇପାରିଲେ ନାହିଁ।

Leave a Reply