ଚଳଚ୍ଚିତ୍ର ଜଗତରୁ ଆସିଛି ଏକ ବଡ଼ ଦୁଃଖ ଖବର । ବର୍ଷିଆନ ଅଭିନେତା ଧର୍ମେନ୍ଦ୍ର ଆଉ ନାହାନ୍ତି । ୮୯ ବର୍ଷ ବୟସରେ ଧର୍ମେନ୍ଦ୍ର ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । କିଛି ଦିନ ହେଲା ଧର୍ମେନ୍ଦ୍ର ଖରାପ ସ୍ବାସ୍ଥ୍ୟ କାରଣରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଧର୍ମେନ୍ଦ୍ରଙ୍କ ବିୟୋଗରେ ସାରା ବଲିଉଡରେ ଶୋକର ଲହରୀ ଖେଳାଇ ଦେଇଛି । ମୁମ୍ବାଇର ବ୍ରୀଚ କ୍ୟାଣ୍ଡି ହସ୍ପିଟାଲରେ ଧର୍ମେନ୍ଦ୍ର ଚିକିତ୍ସିତ ହେଉଥିଲେ । ପରେ ତାଙ୍କୁ ଘରକୁ ନିଆଯାଇଥିଲା । ଘରେ ରହି ଧର୍ମେନ୍ଦ୍ର ଚିକିତ୍ସିତ ହେଉଥିଲେ । ମାତ୍ର ଆଜି ସେ ସମସ୍ତଙ୍କୁ ଛାଡ଼ି ପରଲୋକ ଗମନ କରିଥିବା ସୂଚନା ମିଳିଛି
ଏକ ରିପୋର୍ଟ ମୁତାବକ, ଧର୍ମେନ୍ଦ୍ରଙ୍କ ଅନ୍ତିମ ସଂସ୍କାର ପବନ ହଂସ ଶ୍ମଶାନ ଘାଟରେ କରାଯିବ । ଶ୍ବାସକ୍ରିୟାରେ ଧର୍ମେନ୍ଦ୍ର କଷ୍ଟ ଅନୁଭବ କରୁଥିଲେ । ୧୯୩୫ ମସିହା ଡିସେମ୍ବର ୮ ତାରିଖରେ ଧର୍ମେନ୍ଦ୍ର ପଞ୍ଜାବରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପୂରା ନାମ ଧର୍ମେନ୍ଦ୍ର କେଓ୍ବଲ କୃଷ୍ଣ ଦେଓଲ । ରେଗୁଲାର ଚେକଅପ ପାଇଁ ଧର୍ମେନ୍ଦ୍ରଙ୍କୁ ଅକ୍ଟୋବର ୩ରେ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଆଡମିଟ୍ କରାଯାଇଥିଲା । ନଭେମ୍ବର ୧୦ରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ତାଙ୍କୁ ଦେଖା କରିବାକୁ ପତ୍ନୀ ହେମା ମାଲିନୀ, ପୁଅ ସନୀ ଦେଓଲ, ଝିଅ ଈଶା ଦେଓଲ, ନାତି କରଣ ଦେଓଲ ଓ ରାଜବୀର ଦେଓଲ, ଅଭୟ ଦେଓଲ ହସ୍ପିଟାଲରେ ପହଞ୍ଚିଥିଲେ । ଏଥିସହିତ ସଲମାନ ଖାନ, ଶାହରୁଖ ଖାନ, ଗୋବିନ୍ଦା, ଅମୀଷା ପଟେଲଙ୍କ ପରି ବହୁ ବଲିଉଡ ଅଭିନେତା ତାଙ୍କୁ ଦେଖା କରିବାକୁ ହସ୍ପିଟାଲରେ ପହଞ୍ଚିଥିଲେ ।

