ଶ୍ରାବଣ ଆରମ୍ଭରୁ ଚଳଚଞ୍ଚଳ କଟକ ଗଡ଼ଗଡ଼ିଆ

କଟକ : ଆସିଛି ଶ୍ରାବଣ । ଚଳଚଞ୍ଚଳ ନଈ ପଠା । ବୋଲ ବମ, ହରହର ବମ ଡାକରେ କମ୍ପିଲାଣି କଟକ ଗଡ଼ଗଡ଼ିଆ । ୧୪ରେ ମାସର ପ୍ରଥମ ସୋମବାର । ତେଣୁ ଘାଟରୁ ପାଣି ଉଠାଇ ଶୈବପୀଠ ମୁହାଁ ହେଲେଣି କାଉଡ଼ିଆ । ଦୂରଦୂରାନ୍ତରୁ କାଉଡ଼ିଆ ଭକ୍ତ ଆସି ନଈରେ ବୁଡ଼ ପକାଇବା ସହ କଳସରେ ପାଣି ଭରି ଶିବ ମନ୍ଦିର ଯାଉଛନ୍ତି । ବାଲିରେ ଶିବଲିଙ୍ଗ କରି ପୂଜା କରିବା ପରେ ବାହୁଙ୍ଗି ଧରି ଦଳଦଳ ହୋଇ ବାହାରିଲେଣି କାଉଡ଼ିଆ । ବିଶେଷ କରି ପୁରୀ ଲୋକନାଥ, ପିପିଲି ନୀଳକଣ୍ଠେଶ୍ଵର, ଜଗତସିଂହପୁର ଗୋରଖନାଥ ଓ ଢେଙ୍କାନାଳର କପିଳାସ ଯାଉଥିବା ଭକ୍ତ ଏବେଠୁ ଜଳ ଉଠାଇଛନ୍ତି ।

ଗଡଗଡିଆରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗ ପକ୍ଷରୁ ସ୍ବତନ୍ତ୍ର ନଜର ରଖାଯାଇଛି । ଅଗ୍ନିଶମ ଗାଡି ସହ ବୋଟ, ଲାଇଫ ଜ୍ୟାକେଟ ଧାରୀ ଯବାନଙ୍କୁ ମୁତୟନ କରାଯାଇଛି । ଷ୍ଟିଲ ବ୍ଯାରିକେଡ ଭିତରେ ରହି ଶୃଙ୍ଖଳିତ ଓ ନିରାପଦ ଭାବେ ଜଳ ଉଠାଇବାକୁ ପରାମର୍ଶ ଦେଉଛନ୍ତି । ନଈରେ ଅଧିକ ସୂଅ ଥିବାରୁ ନଦୀ ଭିତରକୁ ନଯିବାକୁ ତାଗିଦ କରାଯାଇଛି । ଆଗାମୀ ଦିନରେ ଅଧିକ ଭିଡ ହେଲେ ଆହୁରୀ ଅଧିକ ଟିମ ମୁତୟନ କରିବାକୁ ଯୋଜନା ରଖିଛି ଅଗ୍ନିଶମ ବିଭାଗ । ଗଜଗଡିଆ ଘାଟକୁ ସଫାସୁତୁରା ରଖିବା ପାଇଁ ସିଏମସି ପକ୍ଷରୁ ନିୟମିତ ସଫେଇ କର୍ମଚାରୀଙ୍କୁ ଦାୟିତ୍ବ ଦିଆଯାଇଛି ।