spot_img

Latest Posts

ଅଣ୍ଡା ଉଦ୍ୟୋଗରେ ଅତ୍ୟାଧୁନିକ ‘ବ୍ଲକଚେନ୍‌’ ଟେକ୍ନୋଲୋଜି ବ୍ୟବହାର କରିବାରେ ବଲାଙ୍ଗୀରର ‘ଓଭୋ ଫାର୍ମ’ ଦେଶରେ ପ୍ରଥମ

ବଲାଙ୍ଗୀର: ଅଣ୍ଡା ଉଦ୍ୟୋଗରେ ଅତ୍ୟାଧୁନିକ ‘ବ୍ଲକଚେନ୍‌’ ଟେକ୍ନୋଲୋଜି ବ୍ୟବହାର କରିବାରେ ବଲାଙ୍ଗିରର ‘ଓଭୋ ଫାର୍ମ’ ଦେଶରେ ପ୍ରଥମ । ‘ବ୍ଲକଚେନ୍‌’ ପରି ଟେକ୍ନୋଲୋଜି ବ୍ୟବହାର କରି ଉତ୍ପାଦର ଗୁଣବତ୍ତା ସମ୍ପର୍କରେ ଗ୍ରାହକମାନଙ୍କ ହାତ ପାଆନ୍ତାରେ ଆବଶ୍ୟକ ସୂଚନା ପହଞ୍ଚାଉଛି ‘ଓଭୋ ଫାର୍ମ’ । ବଜାରକୁ ଆସୁଥିବା ଓଭୋ ଫାର୍ମର ‘କେନକୋ’ ବ୍ରାଣ୍ଡର ଅଣ୍ଡା ପ୍ୟାକେଟରେ ଥିବା କ୍ୟୁଆର୍ କୋଡକୁ ମୋବାଇଲରେ ସ୍କାନ କଲେ ଗୁଣବତ୍ତା ସମ୍ପର୍କରେ ସମସ୍ତ ତଥ୍ୟ ମିଳିପାରୁଛି । କେନକୋ ଅଣ୍ଡା ଓଡ଼ିଶାର ପ୍ରମୁଖ ସହରରେ ଥିବା ଗ୍ରୋସରୀ ଆଉଟଲେଟ ସହିତ ଦେଶର ବିଭିନ୍ନ ସହରରେ ମିଳୁଛି।

ଏହାଛଡ଼ା କମ୍ପାନିର ନିଜସ୍ୱ ଆଉଟଲେଟ୍ ‘ଏଗ୍-ଷ୍ଟ୍ରା’ ମାଧ୍ୟମରେ ବିକ୍ରି କରାଯାଉଛି। ଏପରିକି କେନକୋ ପ୍ୟାକରେ ଆସୁଥିବା ପ୍ରତିଟି ଅଣ୍ଡା ଉପରେ ଏହାର ଉତ୍ପାଦନ ତାରିଖ ଛପାଯାଉଛି, ଯାହାକି ଗ୍ରାହକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଫାର୍ମକୁ ସମ୍ପୂର୍ଣ୍ଣ ରୋଗମୁକ୍ତ ରଖିବା ସହିତ ଅଟୋମେସନର ବ୍ୟବହାର ଏବଂ ‘କଣ୍ଟାକ୍ଟ ଲେସ୍‌’ ଉତ୍ପାଦନ ପ୍ରକ୍ରିୟା ଉପରେ ମଧ୍ୟ ଗୁରୁତ୍ୱ ଦେଇଛି ଓଭୋ ଫାର୍ମ । ତା’ ସହିତ ଅଣ୍ଡାକୁ ପ୍ରତ୍ୟେକ ସ୍ତରରେ ଯାଞ୍ଚ କରାଯାଇ ଦେଶ ବିଦେଶକୁ ପଠାଯାଉଛି । ପ୍ରତିଟି ଅଣ୍ଡା ଡ୍ରାଏ କ୍ଲିନ୍‌, କ୍ୟାଣ୍ଡେଲିଂ, ଗ୍ରେଡିଂ ଏବଂ ୟୁଭି ଟ୍ରିଟମେଣ୍ଟ ଭଳି ଆଧୁନିକ ପ୍ରକ୍ରିୟା ଦେଇ ଓଭୋ ଫାର୍ମରୁ ବାହାରୁଛି ।

ସେହିପରି ସେଠାରେ ପରିବେଶ-ଅନୁକୂଳ ପ୍ୟାକେଜିଂ ପଦ୍ଧତି ଅନୁସରଣ କରାଯାଇ ସୁସ୍ଥ ଅଣ୍ଡାକୁ ବଜାରକୁ ପଠାଯାଉଛି। ଓଭୋ ଫାର୍ମରେ ସୁସ୍ଥ ପରିବେଶକୁ ସୁନିଶ୍ଚିତ କରିବା ପାଇଁ ‘ବାୟୋ ସିକ୍ୟୁରିଟି’ ବ୍ୟବସ୍ଥା ପାଳନ କରାଯାଉଛି। ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ବଲାଙ୍ଗିରରେ ଥିବା ଏହି କୃଷିଭିତ୍ତିକ ଉଦ୍ୟୋଗ ‘ଓଭୋ ଫାର୍ମ’ ଆଜି ପୂର୍ବ ଭାରତର ଏକ ଅଗ୍ରଣୀ ଅଣ୍ଡା ଉତ୍ପାଦନକାରୀ ସଂସ୍ଥା ଭାବେ ପରିଚୟ ପାଇଛି। ଦିନକୁ ପ୍ରାୟ ୧୦ ଲକ୍ଷ ଅଣ୍ଡା ଉତ୍ପାଦନର କ୍ଷମତା ରଖିଛି ଏହି ଫାର୍ମ। ବଲାଙ୍ଗିରର ଦୁଇ ଉଦ୍ୟୋଗୀ ଭାଇ ସୌମେନ୍ଦ୍ର ମିଶ୍ର ଓ ସମରେନ୍ଦ୍ର ମିଶ୍ରଙ୍କ ପ୍ରଚେଷ୍ଟାରେ ଏହି ଉଦ୍ୟୋଗ ରାଜ୍ୟର ଏକ ସଫଳ ଶିଳ୍ପ ହୋଇପାରିଛି। ଏହି ଅନୁଷ୍ଠାନରେ ବଲାଙ୍ଗିର ଓ ଆଖପାଖ ଅଞ୍ଚଳର ୩୦୦ରୁ ଅଧିକ ଲୋକଙ୍କୁ ମଧ୍ୟ ଜୀବିକା ମିଳିପାରିଛି। ବିଶେଷକରି, ଫାର୍ମର ଆଖପାଖ ଅଞ୍ଚଳରେ ରହୁଥିବା ନିରାଶ୍ରୟ ଓ ଅସହାୟ ଲୋକମାନଙ୍କୁ ପ୍ରତିଦିନ ଥରେ ମାଗଣାରେ ପୋଷଣଯୁକ୍ତ ଭୋଜନ ଦିଆଯାଉଛି।

Latest Posts

Don't Miss