ବଲାଙ୍ଗୀର ଜିଲ୍ଲା ବୁଢିପଦର ଗାଁରେ ବ୍ୟାପୁଛି କିଡନୀ ରୋଗ

ନନ୍ଦିଘୋଷ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକର ବୁଢିପଦର ଗାଁରେ ବ୍ୟାପୁଛି କିଡନୀ ରୋଗ । କିଛି ବର୍ଷ ମଧ୍ୟରେ ୧୦ରୁ ଅଧିକ ଲୋକଙ୍କ କିଡନୀ ରୋଗରେ ମୃତ୍ୟୁ ଘଟିଲାଣି । ବର୍ତ୍ତମାନ ୨୦ ରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଦୂଷିତ ନଳକୂପ ପାଣି ଯୋଗୁଁ ରୋଗ ବ୍ୟାପୁଥିବା ନେଇ ସନ୍ଦେହ କରୁଛନ୍ତି ଲୋକେ । ଅଭିଯୋଗ କଲେ ମଧ୍ୟ ସ୍ଵାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ସାବଧାନ! କାୟା ମେଲାଉଛି କିଡନୀ ରୋଗ । ଅକାଳରେ ଚାଲିଯାଉଛି ନିରୀହ ଜୀବନ । ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକର ବୁଢିପଦର ଗାଁରେ ବ୍ଯାପୁଛି କିଡନୀ ରୋଗ । କିଛି ବର୍ଷ ମଧ୍ଯରେ ୧୦ରୁ ଉର୍ଦ୍ଧ୍ଵ ଲୋକଙ୍କ କିଡନୀ ରୋଗରେ ମୃତ୍ଯୁ ଘଟିଲାଣି । ବର୍ତ୍ତମାନ ୨୦ ରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଏକାଧିକ ରୋଗୀଙ୍କ ଡାଇଲେସିସ ମଧ୍ଯ ଚାଲିଛି । ହେଲେ କିଛି ଲୋକ ଏହି ବ୍ଯୟବହୁଳ ରୋଗର ଚିକିତ୍ସା କରିନପାରି ଚେରିମୂଳି ଖାଉଛନ୍ତି । ସବୁଠୁ ବଡ କଥା ହେଲା ଲୋକେ ଏହି ରୋଗର କାରଣ ଜାଣିପାରୁନଥିବା ବେଳେ ଦୂଷିତ ନଳକୂପ ପାଣି ପିଇ ରୋଗ ବ୍ଯାପୁଥିବା ସନ୍ଦେହ କରୁଛନ୍ତି ।
ବୁଢିପଦର ଗାଁରେ ବ୍ୟାପୁଥିବା କିଡନୀ ସମସ୍ଯାର କାରଣ ଖୋଜିବା ଦିଗରେ ପଦକ୍ଷେପ ନେବାକୁ ଅନେକ ଥର ସ୍ଵାସ୍ଥ୍ଯ ବିଭାଗକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ । ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି । ଗାଁରେ ଥିବା ନଳକୂପରୁ ଲୁହାଗୁଣ୍ଡ ମିଶ୍ରିତ ପାଣି ବାହାରୁଥିବାରୁ ଏହି ପାଣି ପିଇ ରୋଗ ବଢୁଥିବା ନେଇ ଆଶଙ୍କା କରୁଛନ୍ତି ଗ୍ରାମବାସୀ । ତେବେ ଏଠାକାର ପାଣି ପରୀକ୍ଷା କଲେ ପ୍ରକୃତ ତଥ୍ୟ ଜଣାପଡିବ । ତେବେ ଜିଲ୍ଲା ପ୍ରଶାସନ ଏହି ସମସ୍ଯା ସଂପର୍କରେ ଦୃଷ୍ଟି ଦେଇ ଗାଁରେ ମେଡିକାଲ କ୍ଯାମ୍ପ କରି ଚିକିତ୍ସା ଯୋଗାଇଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।
ବଲାଙ୍ଗୀର ଜିଲ୍ଲାର ଅନେକ ଗାଁରେ ଏବେ କିଡନୀ ରୋଗ ବ୍ଯାପୁଥିବା ଦେଖିବାକୁ ମିଳିଛି । ସ୍ଵାସ୍ଥ୍ଯ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଏହାର ନିରାକରଣ କରିବା ଦିଗରେ ପଦକ୍ଷେପ ନେବା ଜରୁରୀ ହୋଇପଡିଛି । ନଚେତ ଆଗାମୀ ଦିନରେ ପରିସ୍ଥିତି ଭୟଙ୍କର ହେବାର ଆଶଙ୍କା ରହିଛି ।