ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ କାରବାର ମାମଲା, ଆଜି କୋର୍ଟରେ ହାଜର ହେବେ ୪ ଅଭିଯୁକ୍ତ

1 min read

ବଲାଙ୍ଗୀର: ଆଜି କୋର୍ଟରେ ହାଜର ହେବେ ଜାଲ ସାର୍ଟିଫିକେଟ କାରବାରର ୪ ଅଭିଯୁକ୍ତ । ଗତକାଲି ତିନି ଦିନିଆ ରିମାଣ୍ଡ ସରିଥିବାବେଳେ ଆଜି ସମସ୍ତଙ୍କୁ କୋର୍ଟରେ ହାଜର କରାଯିବ । ଫେକ୍ ସାର୍ଟିଫିକେଟ କାରବାରର ଲିଙ୍କ୍ ସହିତ ଆର୍ଥିକ କାରବାରର ଖୋଳତାଡ଼ କରିବାକୁ ପୁଣି ଥରେ ରିମାଣ୍ଡ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ । ଗତକାଲି ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରର କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଥିଲା କ୍ରାଇମବ୍ରାଞ୍ଚ । ୪ଟି ମୂଲ୍ୟବାନ୍ ଜମି ଓ ୧୭ ଲକ୍ଷ ଟଙ୍କା ଜବତ ହୋଇଛି  । ଏହା ସହିତ ମନୋଜ ଓ ତା’ର ସ୍ତ୍ରୀ ପୂଜାର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯାଇଛି । ମନୋଜ କେଉଁଠି କଳା ଟଙ୍କା ଲଗାଇଛି ସେନେଇ ଅନୁଧ୍ୟାନ କରୁଛି କ୍ରାଇମବ୍ରାଞ୍ଚ I

ତିନିଦିନିଆ ରିମାଣ୍ଡରେ ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର, ପାର୍ଟନର ଆଲୋକ ଉଦଗାତାଙ୍କ ସହ ୪ ଅଭିଯୁକ୍ତଙ୍କୁ ମାରାଥନ ଜେରା କରିଛି କ୍ରାଇମବ୍ରାଞ୍ଚ I ଜେରାବେଳେ ମନୋଜ ଚୁପଚାପ୍ ରହିଥିବାବେଳେ ସବୁ ଗୁମର ଖୋଲିଦେଇଥିଲା ଆଲୋକ । ଅନ୍ୟ ସହଯୋଗୀ ମାନେ ମଧ୍ୟ କଳାକାରବାରର ସତ ଖୋଲିଦେଇଛନ୍ତି । ଜେରା ବେଳେ ବହୁ ସୁରାକ୍ କ୍ରାଇମବ୍ରାଞ୍ଚ ପାଇଛି I ପ୍ରମାଣ ଆଧାରରେ ଅନେକ ସ୍ଥାନରେ ଚଢାଉ ସହ ମାମଲାରେ ସମ୍ପୃକ୍ତ ଥିବା ଏକାଧିକ ଲୋକଙ୍କୁ ପଚରାଉଚରା କରାଯାଇଛି । ୧୦ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ରାକେଟର ମୂଳରେ ପହଞ୍ଚିବାକୁ ତଦନ୍ତ ଜାରି ରଖିଛି । ଅଭିଯୁକ୍ତଙ୍କୁ ପୁଣିଥରେ ରିମାଣ୍ଡରେ ଆଣି କଳାଟଙ୍କାର ଚେର ଖୋଜିପାରେ ତଦନ୍ତକାରୀ ଟିମ୍ ।