ବଲାଙ୍ଗୀରରେ ସାବାଡ଼ ହେବେ ଅପରାଧୀ

ନନ୍ଦିଘୋଷ ବ୍ୟୁରୋ: ବଲାଙ୍ଗୀରରେ ସାବାଡ଼ ହେବେ ଅପରାଧୀ । କ୍ଲିନ କ୍ରାଇମ୍ ସହର ପାଇଁ ଗଠନ ହେବ ପୋଲିସର ସ୍ପେଶାଲ ଟିମ୍ । ସହରକୁ ନୂଆ ଏସପି ଆସିବା ପରେ ଆରମ୍ଭ ହୋଇଛି ଅଭିଯାନ । ଲଗାତର ସହରରେ ଅପରାଧ ବଢୁଥିବା ଦେଖି ଆକ୍ସନ ମୋଡକୁ ଆସିଛି ପୋଲିସ । ସାଇବର କ୍ରାଇମ, ଲୁଟପାଟ, ଚୋରି, ରାହାଜାନୀ ରୋକିବାକୁ ଅପରାଧୀଙ୍କୁ ସତର୍କ କରିଛି ପୋଲିସ । ସେପଟେ କିଛି ପୋଲିସ ଅଧିକାରୀଙ୍କ ଯୋଗୁଁ ସହର ବଦନାମ ହେଉଥିବା ଅଭିଯୋଗ କରିଛନ୍ତି ବଲାଙ୍ଗୀରବାସୀ ।
କ୍ରାଇମ ହଟସ୍ପଟ ପାଲଟିଛି ବଲାଙ୍ଗୀର । ଦୁଇ ସପ୍ତାହରେ ଗଡ଼ିଲାଣି ୧୦ ମୁଣ୍ଡ । ପିଲାଚୋରି ଘଟଣାରେ ବଦନାମ ହୋଇଛି ଜିଲ୍ଲା । ଅପରାଧ ରୋକିବାକୁ ପୋଲିସର ନୂଆ ଷ୍ଟ୍ରେଟେଜି । ବଛାବଛା ଅଧିକାରୀଙ୍କୁ ନେଇ ଗଠନ ହେବ ସ୍ପେଶାଲ ଟିମ୍ । ମୁରିବାହାଲ ଥାନା ଅଞ୍ଚଳରେ ୪ ଜଣଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ସଇଁତଳାରେ ଯୁବକକୁ ହତ୍ୟାକରି ବ୍ରିଜ ତଳେ ଫିଙ୍ଗିଦେଲେ ଦୁର୍ବୃତ୍ତ । ଡୁମେରଝରଣ ଗୌତମ ନାଏକ ହତ୍ୟାକାଣ୍ଡ ହେଉ କି ୧୧ ତାରିଖରେ ସଦର୍ ଥାନା ସରଗାର୍ଡ ଗ୍ରାମରେ ଅପରାଧୀ ଅରୁଣ ସାଏ ପଟେଲକୁ ଗାଁ ଦାଣ୍ଡରେ ପିଟି ପିଟି ହତ୍ୟା । ଅପରାଧୀଙ୍କ ଚରାଭୂଇଁ ସାଜିଛି ବଲାଙ୍ଗୀର । ଗତ ୨ ମାସ ଭିତରେ ୩ ଟି ନବଜାତ ଶିଶୁବିକ୍ରି ଅଭିଯୋଗ ଜିଲ୍ଲାକୁ ବଦନାମ କରିଛି । ଯାହାକୁ ନେଇ ଆକ୍ସନ ମୋଡରେ ପୋଲିସ । ଅପରାଧିକୁ ସାବାଡ କରିବା ପାଇଁ ବଛା ବଛା ଅଫିସରକୁ ନେଇ ସ୍ଵତନ୍ତ୍ର ପୋଲିସ ଟିମ ଗଠନ କରିବାକୁ ଯୋଜନା କରିଛନ୍ତି ଏସପି । ତେବେ କିଛି ଅଧିକାରୀଙ୍କ ଯୋଗୁଁ ସହର ବଦନାମ ହେଉଥିବା ଅଭିଯୋଗ କରିଛନ୍ତି ଲୋକେ ।
ଦିନ ଦ୍ୱିପହରରେ ଚିମିନିଭାଟି ପଡାରେ ସୁଧ କାରବାର ଓ ଟଙ୍କା ଲେଣଦେଣକୁ କେନ୍ଦ୍ରକରି ବିଚ ରାସ୍ତାରେ ମାରଣାସ୍ତ୍ର ଓ ଠେଙ୍ଗାରେ ଗୋଡାଇ ଗୋଡାଇ ଟ୍ରକ୍ ଡ୍ରାଇଭର ରାମ ଦାଶଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ । ମୃତକଙ୍କ ସ୍ତ୍ରୀ ଓ ପରିବାର ଲୋକେ ସୁଧ କାରବାରକୁ ନେଇ ରାମ ଦାସକୁ ଚିନୁ ପଟ୍ଟନାୟକ ହତ୍ୟା କରିଥିବା ଅଭିଯୋଗ ଆଣିବା ପରେ ପୋଲିସ ତାକୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ପୂର୍ବରୁ ଲୁଚିଛପି ହତ୍ଯାକାରୀ ହତ୍ୟାକାଣ୍ଡ ଘଟାଉଥିବା ବେଳେ ଏବେ ଖୁଲମଖୁଲ୍ଲା ଗଡୁଛି ମୁଣ୍ଡ । ଯାହାକୁ ନେଇ ଆତଙ୍କିତ ହୋଇ ପଡ଼ିଛନ୍ତି ଲୋକେ । ପୋଲିସ଼କୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଅପରାଧୀ । ତେଣୁ ତୁରନ୍ତ ପଦକ୍ଷେପ ନେବାକୁ ଲୋକେ ଦାବି କରିଛନ୍ତି ।