ବଲାଙ୍ଗୀରରେ ବିଜେପି ବିଦ୍ରୋହୀ ଗୋଷ୍ଠୀର ଅଭିଶାପ ସମାବେଶ

ନନ୍ଦିଘୋଷ ବ୍ୟୁରୋ: ବଲାଙ୍ଗୀରରେ ବିଜେପି ବିଦ୍ରୋହୀ ଗୋଷ୍ଠୀର ଅଭିଶାପ ସମାବେଶ । ବିଜେପି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ଉପରେ ବର୍ଷିଲେ ଦଳର ଅନ୍ଯଗୋଷ୍ଠୀ ନେତା ଅନନ୍ତ ଦାସ । ଦଳୀୟ ପ୍ରାର୍ଥୀଙ୍କୁ ବିରୋଧ କରି ଅଭିଶାପ ସମାବେଶ କରିଛନ୍ତି ଅନନ୍ତ ଦାସ ଗୋଷ୍ଠୀ । ବିଜେପିର ସାଂସଦ ପ୍ରାର୍ଥୀ ସଂଗୀତା ସିଂହଦେଓ ଏବଂ ବିଧାୟକ ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀଙ୍କ ବିରୋଧରେ ଅନନ୍ତ ଗୋଷ୍ଠୀ ରଣହୁଙ୍କାର ଦେଇଛନ୍ତି । ବଲାଙ୍ଗୀରରେ କଂଗ୍ରେସ ଯୁକ୍ତ ବିଜେପି ଚାଲିଥିବା କହିଛନ୍ତି ନେତା ଓ କର୍ମୀ । କିଛି ମାସ ତଳେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଗସ୍ତ ସମୟରେ ରଣକ୍ଷେତ୍ର ପାଲଟିଥିଲା ବଲାଙ୍ଗୀର । ସଙ୍ଗୀତାଙ୍କ ଗୋଷ୍ଠୀର ଗୋପାଳଜୀ ପାଣିଗ୍ରାହୀ ଓ ବଳରାମ ସିଂ ଯାଦବଙ୍କ ଗୋଷ୍ଠୀର ଅନନ୍ତ ଦାସଙ୍କ ମଧ୍ୟରେ ରାସ୍ତାରେ ଘଟିଥିଲା ମାରପିଟ । ବିଜେପି ରାଜ୍ୟ ସଭାପତିଙ୍କ ସାମ୍ନାରେ ରାଜରାସ୍ତା ପାଲଟିଥିଲା ରଣକ୍ଷେତ୍ର । ସେବେଠୁ ଅନନ୍ତ ଓ ଗୋପାଳଜୀଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଛି। ଗୋପାଳଜୀଙ୍କୁ ବିଜେପି ବଲାଙ୍ଗୀର ବିଧାୟକ ପ୍ରାର୍ଥୀ କରିବା ପରେ ଅସନ୍ତୁଷ୍ଟ ଥିବା ଅନନ୍ତ  ଦାସ ହଜାର ହଜାର କର୍ମୀଙ୍କୁ ନେଇ  ଶକ୍ତି ପ୍ରଦର୍ଶନ କରିଛନ୍ତି । ଅନନ୍ତଙ୍କ ପ୍ରତି ଦଳ ଅବିଚାର କରିଥିବାରୁ ଦଳୀୟ ପ୍ରାର୍ଥୀଙ୍କୁ ପରାଜିତ କରିବା ପାଇଁ ସଂକଳ୍ପ ନିଆଯାଇଛି ବୋଲି ଅସନ୍ତୁଷ୍ଟ ବିଜେପି ନେତା ସୁବାସ ବେହେରା କହିଛନ୍ତି ।