୨ ଅଙ୍ଗନାବାଡି କେନ୍ଦ୍ରର ନାହିଁ ନିଜସ୍ଵ କୋଠା, ହୋଇପାରୁନି ପିଲାଙ୍କ ପାଠପଢା
ନନ୍ଦିଘୋଷ ବ୍ୟୁରୋ: ଶିଶୁ ମାନଙ୍କର ବିକାଶ ପାଇଁ ଅଙ୍ଗନବାଡି କେନ୍ଦ୍ର ଖୋଲାଯାଇଛି । ସରକାର ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ବ୍ରାହ୍ମଣୀ ଗାଁରେ ଥିବା ୨ଟି ଅଙ୍ଗନବାଡି କେନ୍ଦ୍ରର ନିଜସ୍ଵ କୋଠା ନାହିଁ । ଫଳରେ କୁନି କୁନି ପିଲାମାନଙ୍କ ପାଠପଢାରେ ବ୍ଯାଘାତ ସୃଷ୍ଟି ହେଉଛି। ୧୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଅଙ୍ଗନବାଡି କୋଠା ନିର୍ମାଣ ଚାଲିଥିଲେ ବି ତାହା ୨ ବର୍ଷ ହେଲା ଅଧପନ୍ତରିଆ ଭାବେ ପଡିରହିଛି ।
ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଲଖନା ପଂଚାୟତର ବ୍ରାହ୍ମଣୀ ଗାଁ । ଗାଁରେ କୋମଳ ମତି ଶିଶୁ ମାନଙ୍କର ବିକାଶ ପାଇଁ ୨ଟି ଅଙ୍ଗନବାଡି କେନ୍ଦ୍ର ରହିଛି । ହେଲେ ପରିତାପର ବିଷୟ ୨ଟି ଅଙ୍ଗନବାଡି କେନ୍ଦ୍ରର ନିଜସ୍ଵ କୋଠା ନାହିଁ । ସ୍ଥାନୀୟ ଲୋକେ ସ୍କୁଲକୁ ଅନୁରୋଧ କରିବାରୁ ଏକ ଛୋଟିଆ ଶ୍ରେଣୀ ଗୃହ ମିଳିଛି । ହେଲେ ସେ କୋଠରୀରେ ମାଆ ମାନଙ୍କ ଟୀକାକରଣ ହେଉଛି । ଫଳରେ କୁନି କୁନି ପିଲାମାନଙ୍କ ପାଠପଢାରେ ବ୍ଯାଘାତ ସୃଷ୍ଟି ହେଉଛି । ଏନେଇ ଗ୍ରାମବାସୀ ବିଭାଗୀୟ ଅଧିକାରୀ ମାନଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହି ଧ୍ୟାନ ଦେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
ଏପଟେ ୧୪ ଲକ୍ଷ ଟଙ୍କା ବ୍ଯୟ ଅଟକଳରେ ୨ଟି ଅଙ୍ଗନବାଡି କେନ୍ଦ୍ର କୋଠା ନିର୍ମାଣ ଚାଲିଛି । ଯାହାକି ଦୀର୍ଘ ୨ ବର୍ଷ ପରେ ମଧ୍ଯ ସଂପୂର୍ଣ୍ଣ ହୋଇପାରୁନାହିଁ । ଫଳରେ ଛୋଟ ପିଲାମାନେ ଅସୁରକ୍ଷିତ ଅବସ୍ଥାରେ ବସି ପାଠ ପଢୁଛନ୍ତି । ଏନେଇ ଗ୍ରାମବାସୀ ଅନେକ ଥର ବିଡିଓ , ବିଧାୟକଙ୍କୁ ଜଣାଇଥିଲେ ମଧ୍ଯ ସୁଫଳ ମିଳିପାରିନାହିଁ । ଏଠି ପ୍ରଶ୍ନ ଉଠୁଛି ଅଙ୍ଗନୱାଡି କୋଠା ସମ୍ପୂର୍ଣ୍ଣ ନହେବାର କାରଣ କଣ ? ବିଭାଗୀୟ ଅଧିକାରୀଙ୍କ ନଜରରେ ଅଛି ନା ନାହିଁ । ସେପଟେ ଅର୍ଦ୍ଧନିର୍ମତ ଅଙ୍ଗନୱାଡି କେନ୍ଦ୍ରକୁ ଖୁବଶୀଘ୍ର ସମ୍ପୂର୍ଣ୍ଣ କରି ଦେବାକୁ ପ୍ରତିଶୃତି ଦେଇଛନ୍ତି ମୁରିବାହାଲ ସିଡିପିଓ । ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ କେତେ ଶୀଘ୍ର ଏହି ଦାବି ପୂରଣ କରିବାକୁ ସମର୍ଥ ହେଉଛନ୍ତି ଏବଂ କୋମଳ ମତି ଶିଶୁ ମାନେ ଅଙ୍ଗନୱାଡି କେନ୍ଦ୍ରରେ ପାଠ ପଢୁଛନ୍ତି ।