ଦାଦନ ଖଟିବାକୁ ଯାଇ ଶବ ହୋଇ ଘରକୁ ଫେରିଲେ ଯୁବକ
ବଲାଙ୍ଗୀର : ଦାଦନ ଖଟିବାକୁ ଯାଇ ଶବ ହୋଇ ଘରକୁ ଫେରିଲେ ଯୁବକ । ମୃତ ଯୁବକ ଜଣଙ୍କ ହେଲେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ପଣ୍ଡାମୁଣ୍ଡା ପଞ୍ଚାୟତ କୁହାବାଉସ ଗାଁର ଶିବ ମାଝୀ । ଶିବ ଓ ତାଙ୍କ ସ୍ତ୍ରୀ ରାଇବତୀ ଗାଁର କିଛି ଲୋକଙ୍କ ସହ ମିଶି ହାଇଦ୍ରାବାଦ ଦାଦନ ଖଟିବାକୁ ଯାଇଥିଲେ । ଖପ୍ରାଖୋଲର ଦାଦନ ସର୍ଦ୍ଦାର ଅଶୋକ ୪୫ ହଜାର ଟଙ୍କା ଲେଖାଏଁ ଅଗ୍ରୀମ ଦେଇ ନେଇଥିଲେ । ସେଠାରେ ଗୋଟିଏ ମାସ ହେଲା ଶିବ କାମ କରୁଥିଲେ ।
ଇଟାଭାଟି ମାଲିକ ନିର୍ଯାତନା ସହ ଦିନରାତି କାମରେ ଲଗାଇବାରୁ ଅସୁସ୍ଥ ଅନୁଭବ କରିଥିଲେ ଶିବ । ଚିକିତ୍ସା ପାଇଁ ଇଟାଭାଟି ମାଲିକକୁ ଅନୁରୋଧ କରିଥିଲେ କିନ୍ତୁ ତାଙ୍କର ଚିକିତ୍ସା ନକରି ଖଟାଇଥିଲେ ଇଟାଭାଟି ମାଲିକ । ଫଳରେ ଗୁରୁତର ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଜି ଗାଁରେ ଶିବ ମାଝୀର ମୃତଦେହ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଯାଇଥିଲା । ପ୍ରଶାସନ ହସ୍ତକ୍ଷେପ କରି ସେଠାରେ ବନ୍ଧା ପଡିଥିବା ଶିବଙ୍କ ଭାଇ ଓ ପରିବାର ଲୋକଙ୍କୁ ଉଦ୍ଧାର କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଦାଦନ ସର୍ଦ୍ଦାର ଅଶୋକକୁ ଗିରଫ ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।