ମରାମତି ପାଇଁ ଖୋଲୁଛୁ କହି ଚୋରି କରି ନେଉଥିଲେ ଷ୍ଟ୍ରିଟ୍ ଲାଇଟ୍

ବଲାଙ୍ଗିର: ସହରରେ ଦିନରେ ମାତିଛନ୍ତି ଲାଇଟ୍ ଚୋର । ସହରରେ ପୌର କର୍ମଚାରୀ କହି ବୁଲୁଛନ୍ତି । ଖୁଣ୍ଟରେ ଚଢ଼ି ନେଇ ଯାଉଛନ୍ତି ଷ୍ଟ୍ରିଟ୍ ଲାଇଟ୍ । ବଲାଙ୍ଗିର ସହରରେ ଏଭଳି ଭାବେ ଲାଇଟ୍ ଚୋରି ବଢ଼ିଥିବା ବେଳେ ୨ ଜଣଙ୍କୁ ପୋଲିସ ଧରିଛି । ସେମାନଙ୍କ ଠାରୁ ୪ଟି ଷ୍ଟ୍ରିଟ୍ ଲାଇଟ୍ ସହ ପୋଲିସ ବାଇକ୍ ଜବତ କରିଛି । ଷ୍ଟ୍ରିଟ୍ ଲାଇଟ୍ ଚୋରି ପଛରେ ପୌର ପରିଷଦର କେହି କର୍ମଚାରୀଙ୍କ ପ୍ରଚ୍ଛଦ ଭୂମିକା ଥିବା ପୋଲିସ ସନ୍ଦେହ କରୁଥିବା ବେଳେ ଜାରି ରହିଛି ତଦନ୍ତ ।

କର୍ମଚାରୀ କହି ଖୋଲୁଥିଲେ

ଦିନ ଦ୍ୱିପ୍ରହରରେ ମୁଖ୍ୟ ରାସ୍ତା କଡ଼ରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟକୁ ଉଭୟ ଖୋଲି ନେଉଥିଲ । ପଲିଥିନ ବ୍ୟାଗରେ ଷ୍ଟ୍ରିଟ୍ ଲାଇଟ୍ ଭର୍ତ୍ତି କରି ବାଇକ ଯୋଗେ ଫେରାର୍ ହେଇ ଯାଉଥିଲେ । ଲୋକେ ପଚାରିଲେ ନିଜକୁ ପୌରପାଳିକା କର୍ମଚାରୀ ପରିଚୟ ଦେବା ସହ, ମରାମତି ପାଇଁ ଖୋଲଯାଉଥିବା କହୁଥିଲେ । ବହୁ ଦିନରୁ ସହରର ବିଭିନ୍ନ ରାସ୍ତା କଡ଼ରୁ ଷ୍ଟ୍ରିଟ୍ ଲାଇଟ୍ ଚୋରି କରିବା ସହ କବାଡ଼ିଆ ଦୋକାନ ଓ ଟେଣ୍ଟ ହାଉସରେ ବିକ୍ରି କରୁଥିଲେ । ଏସବୁ ଜାଣି  ପୌରପାଳିକା ଅଧିକାରୀ ମାନେ ଚୁପ୍ ରହୁଥିବା ଅଭିଯୋଗ ହେଉଥିଲା ।

କେମିତି ଧରା ପଡ଼ିଲେ ?

କେହି ସ୍ଥାନୀୟ ବାସିନ୍ଦା ଷ୍ଟ୍ରିଟ୍ ଲାଇଟ୍ ଚୋରି ବେଳର ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ କରି ଦେଇଥିଲେ । ଭାଇରାଲ୍ ଫଟୋକୁ ନେଇ ପୌର ନିର୍ବାହୀ ଅଧିକାରୀ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଫଟୋ ଆଧାରରେ ଟାଉନ୍ ଥାନା ପୋଲିସ ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଦ୍ୱୟଙ୍କ ଠାରୁ ୪ଟି ଚୋରି ଷ୍ଟ୍ରିଟ୍ ଲାଇଟ୍ ସହ ପୋଲିସ ଚୋରିରେ ବ୍ୟବହୃତ ବାଇକକୁ ଜବତ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ଆନନ୍ଦ ନଗରର ରାଧେଶ୍ୟାମ ନାଗ ଓ ଆଦର୍ଶ ପଡ଼ାର ଦୀପକ ନାଗ । ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଟାଉନ୍ ଥାନା ଅଧିକାରୀ ସଂଗ୍ରାମ କୋଶରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Leave a Reply