ମିଳିଲାନି ଭ୍ୟାକ୍ସିନ୍, ବଲାଙ୍ଗିର ଜିଲ୍ଲାରେ ସମସ୍ତ ୫୬ କେନ୍ଦ୍ରରେ ଟିକାକରଣ ବନ୍ଦ

Bolangir Shut Down All 56 Vaccination Centre For Unavailability Of Covid Vaccine

ବଲାଙ୍ଗିର (ଦୀପକ ପୁରୋହିତ): ବଲାଙ୍ଗିର ଜିଲ୍ଲାରେ କରୋନା ଭୀଷଣ ରୂପ ଧାରଣ କରିବାରେ ଲାଗିଛି । ଗତ କିଛି ଦିନ ହେଲା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଜିଲ୍ଲାରେ କରୋନା ଟିକାଦାନ କେନ୍ଦ୍ର ଗୁଡ଼ିକରେ ତାଲା ଝୁଲୁଛି । ଟିକା ଅଭାବରୁ ଜିଲ୍ଲାର ୫୬ଟି ଟିକାଦାନ କେନ୍ଦ୍ର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଆଜି ଟିକା ନେବା ପାଇଁ ବିଭିନ୍ନ ଟିକା କେନ୍ଦ୍ରକୁ ଆସିଥିବା ଲୋକେ ଗେଟରେ ତାଲା ଝୁଲୁଥିବା ଦେଖି ଅସନ୍ତୋଷ ପ୍ରକାଶ କରି ଫେରି ଯାଇଛନ୍ତି । ତେବେ ପୁଣି କେବେ ଟିକା ଆସିବ ଓ ଲୋକେ ନେବେ ତାହାକୁ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଠିକ୍ ଭାବରେ କିଛି ସ୍ପଷ୍ଟ କରିପାରୁନାହିଁ । ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦି ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଟିକା ଉତ୍ସବ ପାଳନ ନେଇ ଘୋଷଣା କରିଥିଲେ । ତେବେ ବଲାଙ୍ଗିରରେ ଟିକା ଅଭାବରୁ ଏହି ଉତ୍ସବରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।

 Bolangir Shut Down All 56 Vaccination Centre For Unavailability Of Covid Vaccine

ଗତ କିଛି ଦିନ ତଳେ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପରିମାଣରେ ଟିକା ମହଜୁଦ୍ ଥିବା ନେଇ ଘୋଷଣା କରିଥିଲେ । କିନ୍ତୁ ଓଡ଼ିଶାକୁ ପାତରଅନ୍ତର କରି କରୋନା ଟିକା ନ ପଠେଇବା ଯୋଗୁଁ ବଲାଙ୍ଗିର ଜିଲ୍ଲାରେ ଟିକାର ଅଭାବ ଦେଖାଦେଇଛି । ବିନା କୌଣସି ସୂଚନାରେ ଟିକାଦାନ କେନ୍ଦ୍ର ଗୁଡ଼ିକରେ ତାଲା ଝୁଲୁଥିବାରୁ ଜନ ଅସନ୍ତୋଷ ଦେଖାଦେଇଛି । ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗତ କାଲି ୯୩ ଓ ଆଜି ୯୧ଜଣ ରୋଗୀ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୧୦ଦିନ ଭିତରେ ୪୦୦ ପାର କରିଛି ସଂକ୍ରମିତଙ୍କ ସଂଖ୍ୟା । ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପୁଣି ଥରେ କଟକଣାକୁ କଡ଼ାକଡ଼ି କରିଛି । ଏଭଳି ପରିସ୍ଥିତିରେ କରୋନା ଟିକାଦାନ ବନ୍ଦ ହେବାରୁ ଲୋକେ ଚିନ୍ତା ପ୍ରକଟ କରିଛନ୍ତି ।

 Bolangir Shut Down All 56 Vaccination Centre For Unavailability Of Covid Vaccine

ଜିଲ୍ଲାରେ ଗତ ଜାନୁଆରୀ ମାସରୁ ଟିକାକରଣ ଆରମ୍ଭ ହୋଇଥିଲା । ଜିଲ୍ଲା ପ୍ରଶାସନ ତରଫରୁ ଏଥିପାଇଁ ବିଭିନ୍ନ ସ୍ଥାନରେ ସମୁଦାୟ ୫୬ଟି ଟିକାଦାନ କେନ୍ଦ୍ର ଖୋଲା ଯାଇଥିଲା । ପର୍ଯ୍ୟାୟକ୍ରମେ ବିଭିନ୍ନ ବର୍ଗର ଲୋକଙ୍କୁ ଟିକା ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ବିଭାଗର ୧୧ ହଜାର ୮୨୩ଜଣ ପ୍ରଥମ ଡୋଜ ଗ୍ରହଣ କରିଥିବା ବେଳେ ସେଥିରୁ ୮ ହଜାର ୫୫୬ ଜଣ କରୋନା ଯୋଦ୍ଧା ଦ୍ୱିତୀୟ ଡୋଜ ଟିକା ନେଇ ସାରିଛନ୍ତି । ସେହିପର ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲା ପ୍ରଶାସନ ଆଗ ଧାଡ଼ିର ୫ ହଜାର ୯୭୯ ଜଣ ପ୍ରଥମ ଡୋଜ ନେଇଥିବା ବେଳେ ୩ ହଜାର ୮୫୭ଜଣ ଦ୍ୱିତୀୟ ଡୋଜ୍ ନେଇଛନ୍ତି । ପରେ ଜିଲ୍ଲାର ବରିଷ୍ଠ ନାଗରିକ ମାନଙ୍କୁ ଟିକା ପ୍ରଦାନ କରାଯାଇଥିଲା । ଜିଲ୍ଲାର ୮୨ ହଜାର ୨୧୦ଜଣ ବରିଷ୍ଠ ନାଗରିକଙ୍କୁ ପ୍ରଥମ ଡୋଜ୍ ଦିଆ ଯାଇଥିବା ବେଳେ ଦ୍ୱିତୀୟ ଡୋଜ ମାତ୍ର ୩ ହଜାର ୪୨୯ ଜଣ ଗ୍ରହଣ କରିଛନ୍ତି । ସୋମବାର ମହଜୁଦ ଥିବା ୧୧ଟି ଟିକାକରଣ କେନ୍ଦ୍ରରେ ୯୯୦ ଜଣକୁ ଦିଆଯିବା ଭ୍ୟାକ୍ସିନ୍ ଶେଷ ହୋଇ ଯାଇଥିଲା । ଜିଲ୍ଲାରେ ସର୍ବମୋର୍ଟ ୧ ଲକ୍ଷ ୧୬ହଜାର ୮୪୪ ଜଣକୁ ଟିକା ଦିଆ ଯାଇଥିବା ନେଇ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଭୀମ ସାହୁ ସୂଚନା ଦେଇଛନ୍ତି ।

 Bolangir Shut Down All 56 Vaccination Centre For Unavailability Of Covid Vaccine

ଜିଲ୍ଲାରେ ପୁଣି ଏବେ କରୋନା ଭୟଙ୍କର ରୂପଧାରଣ କରିଛି । ଲୋକେ ଭୟରେ ଥିବା ବେଳେ ଜିଲ୍ଲାରେ କରୋନା ଟିକାର ଅଭାବ ଯୋଗୁଁ ବିଭିନ୍ନ ସ୍ଥାନରେ ଖୋଲା ଯାଇଥିବା ୫୬ଟି ଟିକାଦାନ କେନ୍ଦ୍ର ବନ୍ଦ ହୋଇଛି । ଆଜି ଟିକା ନେବା ପାଇଁ ଆସିଥିବା ଲୋକେ ଟିକାଦାନ କେନ୍ଦ୍ର ଗୁଡ଼ିକରେ ତାଲା ଝୁଲୁଥିବା ଦେଖି ଫେରିଯାଇଥିବା ବେଳେ ଦୂର ଦୂରାନ୍ତରୁ ଆସିଥିବା ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ ଜିଲ୍ଲାରେ ଟିକାର ଅଭାବ ଦେଖାଦେଇଛି ।

Leave a Reply