୭ ଦିନ ପରେ ଶେଷ ହେଲା ଧୀରଜ ସାହୁଙ୍କ ମଦ ସାମ୍ରାଜ୍ୟ ଚଢ଼ାଉ

ବଲାଙ୍ଗୀର: ବଲାଙ୍ଗୀରରେ ସରିଲା ଆୟକର ବିଭାଗର ଚଢ଼ାଉ । ସୁଦପଡା ମଦଭାଟି ସହ ଅଫିସରେ ଆୟକର ବିଭାଗର ଯାଞ୍ଚ ଶେଷ ହୋଇଛି । ଏରିଆ ମ୍ୟାନେଜର ଭୋଳା ସାହୁଙ୍କ ବାସଭବନରୁ ଯାଞ୍ଚ କରି ବାହାରିଛନ୍ତି ଆଇଟି ଅଧିକାରୀ । ଯାଞ୍ଚ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ ଫାଇଲ୍ ଓ ଡାଏରୀ ସହ ୪ଟି ଲ୍ୟାପଟପ ଓ ୨ଟି ହାର୍ଡଡିସ୍କ ଜବତ ହୋଇଛି । ୭ ଦିନ ଧରି ଧୀରଜ ସାହୁଙ୍କ ମଦ ସାମ୍ରାଜ୍ୟ ଉପରେ ଚାଲିଥିଲା ରେଡ୍ ।

ଅମାପ ସମ୍ପତ୍ତିର ଚେର ଖୋଜୁଛନ୍ତି ଆୟକର ଅଧିକାରୀ । ସେହିପରି ଜବତ ହୋଇଥିବା ଟଙ୍କା ମଧ୍ୟରୁ ୨୮୫ କୋଟି ଟଙ୍କା ବ୍ୟାଙ୍କରେ ଜମା କରାଯାଇଛି । ସେପଟେ ଟିଟିଲାଗଡ଼ରେ ମଧ୍ଯ ମଦ ବ୍ୟବସାୟୀ ସଂଜୟ ସାହୁଙ୍କ ସାମ୍ରାଜ୍ୟ ଉପରେ ଚାଲିଛି ଛାନବିନ  । ଟିଟିଲାଗଡ଼ ଆକ୍ସିସ ବ୍ୟାଙ୍କ ଲକରରୁ ବିପୁଳ ସୁନାଗହଣା ଜବତ ହୋଇଛି । ମଦ ବ୍ୟବସାୟୀ ସଂଜୟ ସାହୁଙ୍କ ପତ୍ନୀଙ୍କ ୪୦ ପ୍ରକାର ସୁନା ଅଳଙ୍କାର ଜବତ ହୋଇଛି ।