ନନ୍ଦିଘୋଷ ଟିଭିରେ ଖବର ବାଜିଲା, ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଲା

ବଲାଙ୍ଗୀର: ନନ୍ଦିଘୋଷ ଟିଭିର ପ୍ରଭାବ । ଜମି କେଳେଙ୍କାରୀ ଘଟଣାରେ ବିଦା ହେଲେ କରିତକର୍ମା ଡାଟାଏଣ୍ଟ୍ରି ଅପରେଟର ସନ୍ତୋଷ ସ୍ୱାଇଁ । ବଲାଙ୍ଗୀର ଧୁମାମରା ମୃତ ବ୍ୟକ୍ତିଙ୍କ ଜମି କେଳେଙ୍କାରୀ ଘଟଣାରେ ତହସିଲ୍ କାର୍ଯ୍ୟାଳୟର ଡାଟାଏଣ୍ଟ୍ରି ଅପରେଟର ସନ୍ତୋଷ ସ୍ୱାଇଁକୁ ଚାକିରିରୁ ବିଦା କରିଛି ଜିଲ୍ଲା ପ୍ରଶାସନ । କେଳେଙ୍କାରୀ ଘଟଣାରେ ସନ୍ତୋଷଙ୍କ ସମ୍ପୃକ୍ତି ଥିବା ପ୍ରମାଣିତ ହେବାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ। ସନ୍ତୋଷ ଅସ୍ଥାୟୀ କର୍ମଚାରୀ ଭାବେ ବହୁ ବର୍ଷ ହେଲା ତହସିଲ କାର୍ଯ୍ୟାଳୟରେ କାମ କରୁଥିଲେ । ଏହି ମାମଲରେ ସନ୍ତୋଷକୁ ପୋଲିସ ଅଟକ ରଖି ପଚରାଉଚରା କରିଥିଲା ପରେ ତାଙ୍କୁ ରାଜସାଷୀ କରି ଛାଡ଼ି ଦେଇଥିଲା।

ମିଳିଥିବା ସୂଚନା ମୁତାବକ ଚଞ୍ଚକତା କରି ମୃତ ହର୍ଷ ଷାଣ୍ଢଙ୍କ ଜମି ହାତେଇଥିଲେ ଲବଣି ପୃଷ୍ଟି ନାମକ ଜଣେ ମହିଳା । ଲବଣିକୁ ଅହେତୁକ ଅନୁକମ୍ପା ଦେଖାଇ ୨୦୨୧ ମାର୍ଚ୍ଚ ୪ରେ ବେଆଇନ ଭାବେ ସେଲ୍‌ଡିଡ୍ ପ୍ରସ୍ତୁତ କରିଥିବା ନେଇ ତଦନ୍ତ କରିବାକୁ ରାଜ୍ୟ ସରକାର ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ନିର୍ଦ୍ଦେଶ ଦେବା ପରେ ଜିଲ୍ଲା ପ୍ରଶାସନ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତହସିଲ କାର୍ଯ୍ୟାଳୟର ରେକର୍ଡ କିପର ମକରଧ୍ୱଜ କାଳସାଏ ନିଲମ୍ବିତ କରାଯାଇଥିବା ବେଳେ ଡାଟାଏଣ୍ଟ୍ରି ଅପରେଟର ସନ୍ତୋଷ ସ୍ୱାଇଁକୁ କାର୍ଯ୍ୟରୁ ବିଦା କରାଯାଇଛି ।

ପୂର୍ବରୁ ରାଜ୍ୟ ସରକାର ଜାଲିଆତି ଘଟଣାରେ ସମ୍ପୃକ୍ତ ଥିବା ନେଇ ତତ୍କାଳୀନ ତହସିଲଦାର ମଘବନ ବାଗ ଓ ଅତିତିକ୍ତ ତହସିଲଦାର ହରେକୃଷ୍ଣ ରାଉତକୁ ନିଲମ୍ବନ କରିଛନ୍ତି । ଚାରି ଜଣ ଜମି ମାଫିଆ ସହ ଦୁଇ ଜଣ ସରକାରୀ କର୍ମଚାରୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି  ।  ତତ୍କାଳୀନ ବଲାଙ୍ଗୀର ସବ୍ ରେଜିଷ୍ଟାର ପଦ୍ମନାଭ ପୁରୋହିତ ଦାୟିତ୍ଵରେ ଥିବା ସମୟରେ ମନାଇଛା ଜମି ଜାଲିଆତିରେ ସମ୍ପୃକ୍ତ ଅଭିଯୋଗର ତଦନ୍ତ ହୋଇଛି  ।  ତଦନ୍ତରେ ପଦ୍ମନାଭଙ୍କ ସମ୍ପୃକ୍ତି ପ୍ରମାଣ ପାଇଛି ଜିଲ୍ଲା ପ୍ରଶାସନ  । ଏନେଇ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଜିଲ୍ଲାପାଳ ପ୍ରଦାନ କରିଛନ୍ତି  ।  ଖୁବ୍ ଶୀଘ୍ର ରାଜ୍ୟ ସରକାର ପଦ୍ମନାଭ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି ବୋଲି ଜଣାପଡିଛି  ।