ବୈପାରିଗୁଡ଼ା ଥାନା ଅଧିକାରୀଙ୍କ ପୁଳାପୁଳା ସମ୍ପତ୍ତି ଠାବ, ଜାଣନ୍ତୁ ସମ୍ପତ୍ତି ମୂଲ୍ୟ କେତେ?

ବୈପାରିଗୁଡ଼ା: ଥାନାଧିକାରୀଙ୍କ ଘରେ ବିଡ଼ାବିଡ଼ା ଟଙ୍କା। ବୈପାରିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀଙ୍କ ପୁଳାପୁଳା ସମ୍ପତ୍ତି ଠାବ । ସୁଶାନ୍ତଙ୍କ ନିକଟରୁ ଏଯାଏ ଜବତ ହେଲାଣି ୩୭ ଲକ୍ଷରୁ ଅଧିକ ଟଙ୍କା । ତାଙ୍କ କଟକ ବକ୍ସିବଜାର କ୍ବାର୍ଟର୍ସରୁ ୨୯ ଲକ୍ଷ ୭୭ ହଜାର ଟଙ୍କା ଜବତ ହୋଇଥିବାବେଳେ ବୈପାରିଗୁଡ଼ା କାର୍ଟର୍ସରୁ ୩ ଲକ୍ଷ, ଥାନା ଚାମ୍ବରରୁ ୧ ଲକ୍ଷ ୮୦ ହଜାର ଓ ତାଙ୍କ ନିକଟରୁ ୨ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ।

ଏସବୁ ୫ଶହ ଟଙ୍କିଆ ନୋଟ୍ ବୋଲି ସୂଚନା ମିଳିଛି। ଆଇଆଇସି କୋଉଠୁ ଏତେ ଟଙ୍କା ଆଣିଲେ ସେନେଇ କଟକ ଭିଜିଲାନ୍ସ ତାଙ୍କୁ ପଚରାଉଚରା କରୁଛି। ଗତକାଲି ସନ୍ଧ୍ୟାରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ସୁଶାନ୍ତ କୁମାର ଶତପଥୀ। ବସରେ ଟଙ୍କା ନେଇ ଘରକୁ ଯାଉଥିବାବେଳେ ପ୍ରଥମେ ରେଡ୍ କରି ଦୁଇ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଟଙ୍କା କେଉଁଠୁ ଆଣିଲେ ଓ କୁଆଡ଼େ ନେଉଥିଲେ ସେନେଇ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ଆଇଆଇସି।

ପରେ ଥାନାରେ ତାଙ୍କ ଚ୍ୟାମ୍ବରରୁ ୧ ଲକ୍ଷ ୮୦ ହଜାର, ସେଠାକାର କ୍ବାର୍ଟର୍ସରୁ ୩ ଲକ୍ଷ ଓ ଆଜି କଟକ କ୍ବାର୍ଟର୍ସରୁ ଆଉ ୨୯ ଲକ୍ଷ ୭୭ ହଜାର ନଗଦ ଟଙ୍କା ଜବତ ହୋଇଛି। ଏଯାଏ ମୋଟ ୩୭ ଲକ୍ଷ ୨୭ ହଜାର ନଗଦ ଟଙ୍କା ଜବତ କଲାଣି ଭିଜିଲାନ୍ସ। ଏହାଛଡ଼ା କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ଟିମ୍।