ବାଇସେପ୍ସରେ ୨ କେଜିର ଭେସଲିନ ଭର୍ତ୍ତି କରି ଏମିତି କଲବଲ ହେଉଛନ୍ତି ଯୁବକ

ମସ୍କୋ: ସମସ୍ତଙ୍କୁ ଭଲ ଲାଗେ ସୁନ୍ଦର ଚେହେରା ଆଉ ସୁଗଠିତ ଶରୀର । ଆଜିକାଲି ଯୁବପିଢ଼ି ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ନାନା ପ୍ରକାରର ବ୍ୟାୟାମ କରିବା ସହ ଜିମ୍ ମଧ୍ୟ ଯାଉଛନ୍ତି । ଜିମ୍ କିମ୍ବା ବ୍ୟାୟାମ ଦ୍ୱାରା ଭିଜିକ ବନାଇବାରେ ଅଧିକ ସମୟ ଲାଗୁଥାଏ । କିନ୍ତୁ ଆଜିର ଧୈର୍ଯ୍ୟହରା ଯୁବପିଢ଼ି ରାତାରାତି ଶରୀର ବନାଇବାକୁ ଚାହୁଁଛନ୍ତି । ପରିଶ୍ରମ ନୁହେଁ, ବରଂ କମ୍‌ଦିନରେ ନିଜର ମାଂସପେଶୀ ସୃଦୃଢ଼ ଆଉ ସୁଢ଼ଳ କରିବାକୁ ସହଜ ସୁବିଧା ଉପାୟ ଖୋଜୁଛନ୍ତି ସେମାନେ।

ଏଭଳି ବଡ଼ି ବିଲଡିଂ କରିବାର ନିଶା ଦେଖିବାକୁ ମିଳିଛି ଜଣେ ରୁଷୀୟ ଯୁବକଙ୍କ ପାଖରେ । ନିଜ ସ୍ୱାସ୍ଥ୍ୟକୁ ନେଇ ରାତାରାତି ଆଇକନ୍ ହେବା ନିଶାରେ ବାଇସେପ୍‌ରେ ୬ଲିଟର ଭେସ୍‌ଲିନ୍‌ ଭର୍ତ୍ତି କରି ଜୀବନକୁ ବିପଦ ମୁହଁକୁ ଠେଲିଦେଇଛନ୍ତି ଏହି ରୁଷୀୟ ଯୁବକ।

ଶରୀରରେ ମାତ୍ରାଧିକ ଭେସ୍‌ଲିନ୍‌ ମୃତ୍ୟୁର କାରଣ ହୋଇପାରେ ବୋଲି ଡାକ୍ତର ଚେତାବନୀ ଦେବା ପରେ ବାଧ୍ୟ ହୋଇ ସେ ଅପରେଶନ କରାଇଛନ୍ତି। ତଥାପି ତାଙ୍କ ଅବସ୍ଥା ଜଟିଳ ରହିଛି ।

ବାଇସେପ୍‌ ପାଇଁ ଏପରି ପାଗଳାମି ଦେଖାଇଥିବା ଯୁବକ ଜଣକ ହେଲେ ୨୩ବର୍ଷୀୟ କେରିଲ ତେରେଶିନ। କେରିଲ ଜଣେ ମିକ୍ସଡ ମାର୍ଶଲ ଆର୍ଟ (ଏମଏମ୍‌ଏ) ଫାଇଟର। ଏହି ମାର୍ଶଲ ଆର୍ଟରେ ଭାଗ ନେଉଥିବା ପ୍ରତିଯୋଗୀଙ୍କ ପାଇଁ ବଡି ଗଠନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ସେ ଅଭ୍ୟାସ ଜାରି ରଖିଥିଲେ। କିନ୍ତୁ ନିଜର ବାଇସେପ ଆକାରକୁ ନେଇ ସନ୍ତୁଷ୍ଟ ନ ଥିଲେ କେରିଲ। ଏହାପରେ ସେ ବାଇସପ୍‌କୁ ଅସ୍ୱାଭାବିକ ଭାବେ ବଢ଼ାଇବା ପାଇଁ ଇଞ୍ଜେକ୍ସନ ସହାୟତାରେ ପେଟ୍ରୋଲିୟମ ଜେଲି (ଭେସ୍‌ଲିନ୍‌) ଭର୍ତ୍ତି କରିଥିଲେ। ଗୋଟିଏ ବାହୁରେ ୩ କେଜି ଲେଖାଏ ଭେସଲିନ୍‌ ଭର୍ତ୍ତି କରିବା ପରେ ତାଙ୍କର ବାଇସପ୍‌ କାର୍ଟୁନ କାରେକ୍ଟର ପୋପେୟାଙ୍କ ଭଳି ଫୁଲିଗଲା ସତ, ହେଲେ ଏହାର ସାଂଘାତିକ କୁପ୍ରଭାବ ପଡ଼ିଲା ତାଙ୍କ ଶରୀର ଉପରେ।

ବାଇସେପ୍‌ରୁ ତୁରନ୍ତ ଭେସ୍‌ଲିନ୍‌ ବାହାର କରା ନ ଗଲେ ମୃତ୍ୟୁ ହୋଇଯିବ ବୋଲି ଚେତାଇଦେଲେ ଡାକ୍ତର। ଏହା କରିବାକୁ ପ୍ରଥମେ ସେ ଅରାଜି ଥିଲେ। ବହୁ ବୁଝାଶୁଝା ପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଛି। ତଥାପି ସେ ସମ୍ପୂର୍ଣ୍ଣ ବିପଦମୁକ୍ତ ନ ଥିବା ଡାକ୍ତର କହିଛନ୍ତି।

ବାଇସେପ୍‌ରେ ଭର୍ତ୍ତି ହୋଇଥିବା ଭେସ୍‌ଲିନ ଯୋଗୁଁ ତାଙ୍କ ମାଂସପେଶୀର କୋଷଗୁଡ଼ିକ ନଷ୍ଟ ହୋଇଯାଇଛି। ହାତର ବିଭିନ୍ନ ସ୍ଥାନକୁ ରକ୍ତ ସଞ୍ଚାଳନ ବନ୍ଦ ହୋଇଯାଇଛି। ତାଙ୍କୁ ପ୍ରବଳ ଜ୍ୱର ହେଉଛି। ଦିନକୁ ଦିନ ସେ ଦୁର୍ବଳ ହୋଇପଡୁଛନ୍ତି। ଭେସ୍‌ଲିନ ଭଳି ବାହ୍ୟ ବ୍ୟବହୃତ କସ୍‌ମେଟିକ୍‌ ସାମଗ୍ରୀକୁ ଆଭ୍ୟନ୍ତରୀଣ ଅଙ୍ଗରେ ବ୍ୟବହାର କରିବାର ଫଳ ଭୋଗୁଛନ୍ତି କେରିଲ। ସାମୟିକ ଆବେଗରେ ଆସି ଏପରି କାର୍ଯ୍ୟ ନ କରିବାକୁ ଡାକ୍ତରମାନେ ଦେଶର ଯୁବପିଢ଼ିଙ୍କୁ ପରାମର୍ଶ ଦେଇଛନ୍ତି।

 

Leave a Reply