କାଜୁ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ
1 min read
ଢେଙ୍କାନାଳ: ମହାବିରୋଡ଼-ଚାନ୍ଦପୁର ରାସ୍ତାରେ ଥିବା କାଜୁ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକ ହେଲେ ଦଶିପୁର ପଞ୍ଚାୟତ ଭାଲୁମୁଣ୍ଡା ଗାଁର ନବ ଦେହୁରୀଙ୍କ ପୁଅ ଲୁଲୁ ଦେହୁରୀ । ଲୁଲୁଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ଆଣଇଲେ ପରିବାର ଲୋକେ ।
ଲୁଲୁ ଯାଜପୁର ଜିଲ୍ଲା ଡୁବୁରିରେ ଥିବା ଜିନ୍ଦଲ ପ୍ଲାଣ୍ଟରେ କାମ କରୁଥିଲେ। ଗତକାଲି ଦଶିପୁର ଗାଁର ଦୋଳଯାତ୍ରା ପାଇଁ ଛୁଟି ନେଇ ସେ ଘରକୁ ଆସିଥିଲେ । ଯାତ୍ରା ଦେଖିବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ତାଙ୍କ ଫୋନ୍ ଅଫ୍ ଥିଲା । ପରିବାର ଲୋକ ଏଣେ ତେଣେ ବହୁ ଖୋଜାଖୋଜି କରିବା ପରେ ବି ସନ୍ଧାନ ପାଇ ନଥିଲେ । ଆଜି ଲୁଲୁଙ୍କ ମୃତଦେହ ମହାବିରୋଡ଼-ଚାନ୍ଦପୁର ରାସ୍ତାର କାଜୁ ଜଙ୍ଗଲରୁ ମିଳିଥିଲା । ଶରୀର ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । କାହା ସହିତ ଲୁଲୁଙ୍କ କୌଣସି ପୂର୍ବ ଶତ୍ରୁତା ନ ଥିବା ବି ପରିବାର ଲୋକେ କହିଛନ୍ତି ।
ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପାଠାଇଛି । ଏହାସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି ।