ଥମୁନି ଋଷ-ୟୁକ୍ରେନ ଯୁଦ୍ଧ, ରାଜଧାନୀ କିଭରେ ମିଳିଲାଣି ୯୦୦ରୁ ଅଧିକ ଶବ

1 min read

କିଭ୍: ୫୨ ଦିନରେ ଋଷ-ୟୁକ୍ରେନ ଯୁଦ୍ଧ । ପୋର୍ଟ ସିଟି ମାରିୟୁପୋଲକୁ ନେଇ ଜୋରଦାର ସଂଘର୍ଷ ଜାରି । ତେବେ ଋଷ ବାହିନୀକୁ ସହାୟତା କରିବା ଲାଗି ଆଗେଇ ଆସିଛନ୍ତି ଚେଚେନ ବିଦ୍ରୋହୀ । ଏହି ସହର କାହା ହାତକୁ ଯିବ ତାହାକୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ଚେଚେନ ବିଦ୍ରୋହୀ ସାମିଲ ହେବା ଘଟଣା ୟୁକ୍ରେନକୁ ଚିନ୍ତିତ କରିଛି । ରମଜାନ କାଦିରୋଭ ନେତୃତ୍ବାଧୀନ ଏହି ସୈନ୍ୟମାନେ ନିକଟସ୍ଥ ମେଲିଟିପୋଲରେ ରହିଥିବା ସୂଚନା ମିଳିଛି ।

ସେପଟେ ରାଜଧାନୀ କିଭରେ ୯୦୦ରୁ ଅଧିକ ଶବ ମିଳିଲାଣି ବୋଲି ଦାବି କରିଛି ୟୁକ୍ରେନ । କିଭରୁ ଋଷ ସୈନ୍ୟ ହଟିବା ପରେ ବିଭିନ୍ନ ଅଞ୍ଚଳରେ ଶବ ଠାବ ପ୍ରକ୍ରିୟା ଜାରିରହିଛି । ସେମାନଙ୍କ ମଧ୍ୟରୁ ୯୫ ପ୍ରତିଶତଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି । ଖାରକିବରେ ହୋଇଥିବା ଗୁଳିମାଡରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି ।

ଅନ୍ୟପକ୍ଷରେ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ଯୁଦ୍ଧ ଚାଲିପାରେ ବୋଲି କହିଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ । ନିକଟ ଭବିଷ୍ୟତରେ ଯୁଦ୍ଧ ଥମିବାର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି । ଋଷ ଆଣବିକ ଅସ୍ତ୍ର ପ୍ରୟୋଗ କରିବାର ଅଧିକ ସମ୍ଭାବନା ରହିଛି ଏବଂ ଏଥିଲାଗି ବିଶ୍ବ ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଋଷ ବାହିନୀ ଆଗରେ ଜୀବନ କିଛି ନୁହେଁ ଏବଂ ସେମାନେ ରାସାୟନିକ ବା ଆଣବିକ ଅସ୍ତ୍ର ବ୍ୟବହାର କରିପାରନ୍ତି ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ଜେଲେନସ୍କି । ଆସନ୍ତା ସପ୍ତାହରେ ୟୁକ୍ରେନ ପ୍ରଧାନମନ୍ତ୍ରୀ ଦେନିସ ସିମାଲ, ଅର୍ଥମନ୍ତ୍ରୀ ଓ ମନ୍ତ୍ରାଳୟର ବରିଷ୍ଠ ପ୍ରତିନିଧିମାନେ ଓ୍ବାଶିଂଟନ ଯିବା ନେଇ କୁହାଯାଇଛି । ସେଠାରେ ସେମାନ ଗ୍ରୁପ-୭ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।