ମଝି ସମୁଦ୍ରରେ ଓଲଟିଲା ଡଙ୍ଗା, ତା’ପରେ…

ବାଲେଶ୍ବର: ମାଛ ମାରିବାକୁ ସମୁଦ୍ରକୁ ଯାଇଥିବା ବେଳେ ଓଲଟିଲା ଡଙ୍ଗା । ଅଳ୍ପକେ ବର୍ତ୍ତି ଗଲେ ୬ ମତ୍ସ୍ୟଜୀବୀ । ପହଁରି ପହଁରି ଆସିଲେ କୂଳକୁ । ୨ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର, ମେଡିକାଲରେ ଭର୍ତ୍ତି ।

ସୂଚନାଯୋଗ୍ୟ, ବାଲେଶ୍ବର ଜିଲ୍ଲା ତାଳସାରୀ ଅଞ୍ଚଳରୁ ୬ ମତ୍ସ୍ୟଜୀବୀ ଡଙ୍ଗାରେ ଗଭୀର ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ । ସମୁଦ୍ରରୁ ଇଲିସ ମାଛ ମାରିବା ପରେ ଘରୁଥିବା ବେଳେ ତାଳସାରୀ ମୁହାଣଠାରୁ ୩ କିମି ସମୁଦ୍ର ଭିତରେ ଏକ ଉଚ୍ଚା ଜୁଆରର ସମ୍ମୁଖୀନ ହୋଇଥିଲେ । ଡଙ୍ଗାଟି ପାଖରେ ଥିବା ଆଉ ଏକ ଡଙ୍ଗା ସହ ପିଟି ହୋଇ ଓଲଟି ପଡ଼ିଥିଲା ।

ଡଙ୍ଗା ଓଲଟିବା ପରେ ସମସ୍ତ ୬ ମତ୍ସ୍ୟଜୀବୀ ପହଁରି ପହଁରି କୂଳକୁ ଆସିଥିଲେ । ଏହାପରେ ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ପ୍ରାୟ ୩ କିମି ସମୁଦ୍ରରେ ପହଁରି ପହଁରି ଆସିବା ଦ୍ବାରା ଦୁଇ ମତ୍ସ୍ୟଜୀବୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା । ସେମାନଙ୍କୁ ଦୀଘା ମେଡିକାଲରେ ଭର୍ତ୍ତି କରାଯାଇଛି ।