ପୁଣି ଚିଲିକାରେ ଡଙ୍ଗାବୁଡ଼ି: କଟକଣା ସତ୍ତ୍ୱେ ସୁଧୁରୁନାହାନ୍ତି ଲୋକେ, କ୍ଷମତାଠାରୁ ଅଧିକ ଲୋକେ କରୁଥିଲେ ଯାତ୍ରା

ଖୋର୍ଦ୍ଧା: ପୁଣି ଚିଲିକାରେ ଅଘଟଣ । ଭୋଜି ସାରି ଫେରିଲା ବେଳକୁ ମଝି ଚିଲିକାରେ ବୁଡ଼ିଗଲା ଡଙ୍ଗା । ଖବର ପାଇଁ ଘଟଣାସ୍ଥଳରୁ ସମସ୍ତ ୨୨ ଜଣ ଯାତ୍ରୀଙ୍କୁ ଅନ୍ୟ ଡଙ୍ଗ ଚାଳକ ଓ ମତ୍ସ୍ୟଜୀବୀମାନେ ଉଦ୍ଧାର କରିଛନ୍ତି । ସେମାନଙ୍କ ମଧ୍ୟରୁ ୯ ଜଣଙ୍କୁ ବାଲୁଗାଁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁଯାୟୀ, ମାଘ ମାସର ମାନସିକ ଭୋଜି ଯନ୍ତାଳ ପାଇଁ ମତ୍ସ୍ୟଜୀବୀଙ୍କ ପରିବାର । ବଡ଼କୂଳ, ତୋଟାପଡ଼, ସୁବୁଦ୍ଧିପାଟଣାରୁ କିଛି ମତ୍ସ୍ୟଜୀବୀ ସେମାନଙ୍କ ପରିବାର ସହ ଭୋଜି କରିବାକୁ ଯାଇଥିଲେ । ଫେରିବା ବେଳେ ଦୁର୍ଘଟଣାଗ୍ରସ୍ତ ଡଙ୍ଗା ବ୍ୟତୀତ ଅନ୍ୟ କୌଣସି ଡଙ୍ଗା ଫେରିବାର ନଥିବାରୁ ଆବଶ୍ୟକଠାରୁ ଅଧିକ ଯାତ୍ରୀ ବସିଥିଲେ । ଏଣୁ ଡଙ୍ଗାଟି ବୁଡ଼ି ଯାଇଥିବା କୁହାଯାଉଛି ।

ଦୁର୍ଘଟଣାପରେ ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି  । ତେବେ ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇନାହିଁ ଓ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଦାର କରାଯାଇଥିବା କହିଛନ୍ତି ଜିଲ୍ଲପାଳ ସୀତାଂଶୁ ରାଉତ । ଏଥିସହ ଦୁର୍ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଯାତ୍ରୀମାନେ ଲାଇପ୍‌ ଜ୍ୟାକେଟ୍ ପିନ୍ଧିନଥିଲେ ସୁଦ୍ଧା ସ୍ଥାନୀୟ ଡଙ୍ଗା ଚାଳକ ଓ ମତ୍ସ୍ୟଜୀବୀଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ସୁରକ୍ଷିତ ଉଦ୍ଧାର ହୋଇପାରିଛନ୍ତି ଯାତ୍ରୀ ।  

ତେବେ ୨୦୧୮ ମସିହାରେ ମଧ୍ୟ ଚିଲିକାରେ ଡଙ୍ଗାବୁଡ଼ି ଘଟିଥିଲା । ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଏଭଳି ଦୁର୍ଘଟଣା ଯୋଗୁଁ ସ୍ଥାନୀୟ ପ୍ରଶାସନ ଓ ସରକାର ସମାଲୋଚନାର ଶରବ୍ୟ ହୋଇଥିଲେ । ଭବିଷ୍ୟତରେ ଏଭଳି ଘଟଣା ଯେଭଳି ନ ଘଟିବ ସେଥିଲାଗି ପ୍ରଶାସନ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି । ଦୁର୍ଘଟଣା ଆଶଙ୍କାକୁ ଏଡାଇବ ଲାଗି ଡଙ୍ଗାର କ୍ଷମତାରୁ ଅଧିକ ଯାତ୍ରୀଙ୍କୁ ନେବାକୁ ବାରଣ କରାଯାଇଛି । ଲାଇଫ ଜ୍ୟାକେଟ ପିନ୍ଧିବାକୁ ବୋଟ୍ ଆସୋସିଏସନ୍‌ ପକ୍ଷରୁ ବାଧ୍ୟତାମୂଳକ କରାଯାଇଛି । ଲାଇପ୍‌ ଜ୍ୟାକେଟ ସମସ୍ତେ ନପିନ୍ଧିଲେ ଡଙ୍ଗା ଚଳାଇବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । କିନ୍ତୁ ଆଜି ଏ ନେଇ ଦେଖାଦେଇଥିଲା ବ୍ୟତିକ୍ରମ । ଡଙ୍ଗାର କ୍ଷମତାଠାରୁ ଅଧିକ ସଂଖ୍ୟାରେ ଯାତ୍ରୀ ଯାତ୍ରା କରିଥିଲେ । ଅଧିକ ସଂଖ୍ୟାରେ ଯାତ୍ରୀ ଯାତ୍ରା କରିଥିବାରୁ ଲାଇପ୍‌ ଜ୍ୟାକେଟ ମଧ୍ୟ କମ୍‌ ପଡ଼ିଥିଲା । ତେବେ ଲାଇପ୍‌ ଜ୍ୟାକେଟ୍‌ ଥିବା ସତ୍ତ୍ୱେ କିଛି ଲୋକେ ଜ୍ୟାକେଟ ପିନ୍ଧିନଥିବା ସୂଚନା ରହିଛି । ସୌଭାଗ୍ୟବସତଃ ଏତେ ସବୁ ଅସବାଧନାତା ସତ୍ତ୍ୱେ ଲୋକେ ଏକ ବଡ଼ ବିପଦରୁ ବର୍ତ୍ତିଯାଇଛନ୍ତି । ଡଙ୍ଗା ବୁଡ଼ି ଯାଇଛି ହେଲେ ଲୋକେ ବଞ୍ଚିଯାଇଛନ୍ତି । କିନ୍ତୁ ଲୋକଙ୍କ ଏଭଳି ଅସାବଧାନତା ଓ ବିପଦପୂର୍ଣ୍ଣ ଯାତ୍ରା ସାଧାରଣରେ ଚିନ୍ତାରେ କାରଣ ପାଲଟିଛି । ଆଜିର ଦୁର୍ଘଟଣା ଯୋଗୁଁ ଲୋକଙ୍କ ଏଭଳି  ଅସାବଧାନତା ସାମ୍ନାକୁ ଆସିଥିବାବେଳେ ପୂର୍ବରୁ ମଧ୍ୟ ବହୁବାର ଲୋକେ ଏଭଳି ଯାତ୍ରା କରୁଥିବା ଆଶଙ୍କା କରାଯାଉଛି । ଏଭଳି ଦୁର୍ଘଟଣା ସମସ୍ତଙ୍କ ପାଇଁ ସତର୍କ ଘଣ୍ଟି । ଆଗାମୀ ଦିନରେ ବୋଟେ ଆସୋସିଏସନ୍‌ ଓ ସ୍ଥାନୀୟ ପ୍ରଶାସନ ସହ ଲୋକେ ମଧ୍ୟ ସତର୍କ ହେବାର ଆବଶ୍ୟକତା ରହିଛି । 

Leave a Reply