ମାଛ ମାରି ଫେରୁଥିବା ବେଳେ ବୁଡ଼ିଲା ବୋଟ୍, ଜଣେ ନିଖୋଜ

ପାରାଦୀପ:  ନେହରୁ ବଙ୍ଗଳା ମୁହାଁଣରେ ଅଘଟଣ । ମାଛ ମାରି ଫେରୁଥିବା ବେଳେ ବୁଡିଲା ଦୟା ସାଗର ନାମକ ଟାପା ବୋଟ । ଗତକାଲି ମାଛ ଧରିବାକୁ ସମୁଦ୍ରକୁ ଯାଇ ଆଜି ଫେରୁଥିଲେ ମତ୍ସ୍ୟଜୀବୀ । ଏକ ଉଚ୍ଚ ଜୁଆର ଆସିବାରୁ ବୋଟଟି ଓଲଟି ପଡିଥିଲା । ବୋଟରେ ତିନି ଜଣ ମତ୍ସ୍ୟଜୀବୀ ଥିଲେ । ଦୁଇ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଉ ଜଣେ ନିଖୋଜ ଅଛନ୍ତି । ନିଖୋଜ ମତ୍ସ୍ୟଜୀବୀ ଜଣକ ହେଲେ ଗୋପିଲା ସିନୁ ।

ସ୍ଥାନୀୟ ବୋଟ ସାହାଯ୍ୟରେ ନିଖୋଜ ମତ୍ସ୍ୟଜୀବୀଙ୍କୁ ଖୋଜାଖୋଜି ଜାରି ରହିଥିବାବେଳେ ତାଙ୍କର କୌଣସି ସନ୍ଧାନ ମିଳିପାରିନାହିଁ । ଟାପା ବୋଟ ମାଛ ଧରି ସକାଳୁ ମୁହାଣ ନିକଟରେ ଲଙ୍ଗର ପକାଇ ରହିଥିଲା । ଉଚ୍ଚ ଢେଉ ସହିତ ସ୍ରୋତ ଅଧିକ ଥିବାରୁ ସେମାନେ ମୁହାଣଠାରୁ କିଛି ଦୂରରେ ଅପେକ୍ଷା କରିଥିଲେ । ମାତ୍ର ହଠାତ ଗୋଟିଏ ବଡ ଲହଡ଼ି ଆସି ସେମାନଙ୍କ ମାଛଧରା ଡଙ୍ଗାକୁ ଓଲଟାଇ ଦେଇଥିଲା । ଫଳରେ ତିନି ଜଣଙ୍କ ମଧ୍ଯରୁ ଜଣେ କିଛି ଦୂରକୁ ଛିଟିକି ପଡିଥିଲେ ।