କୋଭିଡ୍ ନିୟମ ଉଲ୍ଲଂଘନ ନେଇ ସାଂସଦ ଅପରାଜିତାଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଅମାନିଆ ଅପରାଜିତାଙ୍କ ବିରୋଧରେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ । ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଏମସି କମିଶନର ନିର୍ଦ୍ଦେଶ ଦେଇଛନ୍ତି । ସାଂସଦ ଅପରାଜିତା ଷଡ଼ଙ୍ଗୀ ବାରମ୍ବାର କୋଭିଡ୍ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା । କୋଭିଡ୍ ନିୟମ ନମାନି ଏକାଧିକ କାର୍ଯ୍ୟକ୍ରମ କରିଥିଲେ ସାଂସଦ ଷଡ଼ଙ୍ଗୀ । କେଉଁଠି ମାସ୍କ ପିନ୍ଧି ନଥିଲେ ତ ଆଉ କେଉଁଠି ନଥିଲା ସାମାଜିକ ଦୂରତା । ଏ ସମ୍ପର୍କରେ ନନ୍ଦିଘୋଷ ଟିଭିରେ ବାରମ୍ବାର ଖବର ପ୍ରସାରଣ ହୋଇଥିଲା । ଏନେଇ କିଛି ସାମାଜିକ ସଂଗଠନ ବିଏମସି କମିଶନରଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ ।

ସାଂସଦଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରିଥିଲେ ବିଏମସି ଅତିରିକ୍ତ କମିଶନର । ତଦନ୍ତରେ ସାଂସଦ କୋଭିଡ୍ ନିୟମ ଉଲ୍ଲଂଘନ କରିଥିବା ନେଇ ସ୍ପଷ୍ଟ ହୋଇଥିଲା । ଅତିରିକ୍ତ କମିଶନରଙ୍କ ତଦନ୍ତ ରିପୋର୍ଟ ଆଧାରରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଏମସି କମିଶନର ନିର୍ଦ୍ଦେଶ ଦେଇଛନ୍ତି ।ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଥମେ ଦଳୀୟ କର୍ମୀ ଜଗନ୍ନାଥ ପ୍ରଧାନଙ୍କ ଘରେ କୋଭିଡ୍ ନିୟମ ଭାଙ୍ଗିଥିଲେ । ଶତାଧିକ ସମର୍ଥକଙ୍କ ସହ ବିନା ମାସ୍କର ଫଟୋ ଉଠାଇଥିଲେ । ପରେ ଲୋକ ଦେଖାଣିଆ ଭାବେ ପୋଲିସକୁ ଫାଇନ୍ ଦେଇଥିଲେ । ଏହାର କିଛି ଦିନ ପରେ ପୁଣି ଆଇନ୍ ଉଲ୍ଲଂଘନ କରିଥିଲେ ସାଂସଦ । କୋଭିଡ୍ ପାଇଁ ଏକାଠି ହେବାକୁ ମନା ହୋଇଥିବା ବେଳେ ହଂସପାଳରେ ଫ୍ଲାଏଓଭର ଶିଳାନ୍ୟାସ ନାଁରେ ଉଲ୍ଲଂଘନ କରିଥିଲେ ସାମାଜିକ ଦୂରତା । ସମାବେଶ, ଶୋଭାଯାତ୍ରା ବାରଣ ଥିବାବେଲେ ମାର୍କେଟ ବିଲ୍ଡିଂରେ ବିଜେପିର ଜନସମ୍ପର୍କ ଯାତ୍ରାକୁ ପୂର୍ବରୁ ହେଉଥିବା ବିଶାଳ ପଦଯାତ୍ରା ପରି ଡିଜାଇନ କରି ନିୟମ ଉଲ୍ଲଂଘନ କରିଥିଲେ ।

ନେତାଙ୍କୁ ନିୟମ ନେଇ କିଏ କରିବ ସଚେତନ ?

Leave a Reply