ଦେଢବର୍ଷରେ କମିବ କୁକୁରଙ୍କ ଉତ୍ପାତ, ଏକାସହ ବନ୍ଧ୍ୟାକରଣ ହେବେ ୧୫୦

1 min read

ଭୁବନେଶ୍ବର: ଦିନକୁ ଦିନ ବଢିବାରେ ଲାଗିଛି ବୁଲା କୁକୁରଙ୍କ ଦୌରାତ୍ମ୍ୟ । ସଂଖ୍ୟା ବୃଦ୍ଧି ସାଙ୍ଗକୁ କୁକୁରଙ୍କ ଉତ୍ପାତରେ ଅତିଷ୍ଠ ଜନସାଧାରଣ । ଏଥିରେ ରୋକ ଲଗାଇବାକୁ ଯାଇ ବିଏମସି ନେବାକୁ ଯାଉଛି ବଡ ପଦକ୍ଷେପ । ଖୁବଶୀଘ୍ର ରାଜଧାନୀରେ ହେବ କୁକୁର ଗଣନା । କୁକୁର ଗଣନା କ୍ଷେତ୍ରରେ ରାଜ୍ୟରେ ଏହା ହେବ ପ୍ରଥମ। ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ୩ ହଜାର କୁକୁର ଥିବା ଆକଳନ କରାଯାଇଛି ।

ପୂର୍ବରୁ ଦକ୍ଷିଣ ଦିଲ୍ଲୀ ଓ ଅହମ୍ମଦାବାଦରେ କୁକୁରଙ୍କ ଗଣନା କରାଯାଇଛି । ଭୁବନେଶ୍ବରରେ ଘରୋଇ ସଂସ୍ଥା ଜରିଆରେ ପ୍ରତି ଓ୍ବାର୍ଡ ଓ ସାହିରେ କୁକୁରଙ୍କ ଗଣନା କରାଯିବାକୁ ଯୋଜନା କରିଛି ବିଏମସି । ଏହାସହ ତ୍ବରାନ୍ବିତ ହେବ ଆନିମଲ ବାର୍ଥ କଣ୍ଟ୍ରୋଲ ବା ABC କାର୍ଯ୍ୟକ୍ରମ । ମଞ୍ଚେଶ୍ବରରେ ଖୋଲିବ ଅତ୍ୟାଧୁନିକ ତଥା ବୃହତ ଷ୍ଟାରିଲାଇଜ କେନ୍ଦ୍ର । ଯେଉଁଠି ଦୈନିକ ୧୫୦ କୁକୁରଙ୍କ ଏକା ସଙ୍ଗେ ହୋଇପାରିବ ବନ୍ଧ୍ୟାକରଣ ।

ଏହା ହେଲେ ଦେଢ ବର୍ଷ ମଧ୍ୟରେ କୁକୁରଙ୍କ ଜନ୍ମ ଉପରେ ନିୟନ୍ତ୍ରଣ ଲାଗିପାରିବ ବୋଲି ଲକ୍ଷ୍ୟ ରଖିଛି ବିଏମସି । ଉଭୟ କାର୍ଯ୍ୟ ପାଇଁ ଘରୋଇ ସଂସ୍ଥାକୁ ଦିଆଯିବ ଦାୟିତ୍ବ । ମହାରାଷ୍ଟ୍ରର ଭାଟ୍ସ ଫର ଆନିମଲ ନାମକ ଏକ ଘରୋଇ ସଂସ୍ଥା ସହିତ ଚୁକ୍ତି ସ୍ବାକ୍ଷର କରିଛି ବିଏମସି । ପ୍ରତି କୁକୁରଙ୍କୁ ଧରିବା, ବନ୍ଧ୍ୟାକରଣ କରିବା, ଟିକାକରଣ ଓ ଚିକିତ୍ସା ପାଇଁ ୧୬୫୦ଟଙ୍କା ଲେଖାଏଁ ଖର୍ଚ୍ଚ କରାଯିବ । ୨୯ତାରିଖରେ ବିଏମସିର କର୍ପୋରେସନ ବୈଠକରେ ବିସ୍ତୃତ ଆଲୋଚନା ହେବ ।