ଆଉ ରହିବନି ବୁଲା ଷଣ୍ଢଙ୍କ ଦୌରାତ୍ମ୍ୟ: ୫ କୋଟି ଟଙ୍କାରେ ନିର୍ମିତ ହେବ ଦ୍ୱିତୀୟ କାଞ୍ଚିଆହୁଦା ଓ ଗୋଶାଳା

ଭୁବନେଶ୍ୱର: ରାଜଧାନୀର ରାଜରାସ୍ତାରେ ବୁଲା ଷଣ୍ଢଙ୍କ ଦୌରାତ୍ମ୍ୟ । ଷଣ୍ଢଙ୍କ ଯୋଗଁ ଉପୁଜୁଛି ଟ୍ରାଫିକ ସମସ୍ୟା । ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବ ବିଏମସି । ଖୁବଶୀଘ୍ର ସ୍ଥାପନ ହେବ ଦ୍ୱିତୀୟ କାଞ୍ଜିଆହୁଦା ଓ ଗୋଶାଳା । ବିନିଯୋଗ ହେବ ପ୍ରାୟ ୫ କୋଟି ଟଙ୍କା ।  ସ୍ମାର୍ଟସିଟିରେ ବଢୁଛି ଷଣ୍ଢ ଉପଦ୍ରବ । ସୃଷ୍ଟି ହେଉଛି ଟ୍ରାଫିକ ସମସ୍ୟା । ସ୍ଥାୟୀ ସମାଧାନ ପାଇଁ ଅଣ୍ଟା ଭିଡ଼ିଛି ବିଏମସି । ଦ୍ୱିତୀୟ କାଞ୍ଜିଆ ହୁଦା ସହ ବିକାଶ ହେବ ଜାମୁକୋଳି ଗୋଶାଳା । ରାଜଧାନୀ ରାଜରାସ୍ତାରେ ବୁଲୁଛି ଗୋରୁଗାଈ ଓ ଷଣ୍ଢ ।

ଉପଦ୍ରବ ଯୋଗୁଁ ଟ୍ରାଫିକ ସମସ୍ୟା ଉପୁଜିବା ସହ ଅତିଷ୍ଠ ହେଲେଣି ରାଜଧାନିବାସୀ । ଅନେକ ସମୟରେ ଷଣ୍ଢଙ୍କ ଆକ୍ରମଣର ଶିକାର ହେଉଛନ୍ତି ଲୋକେ । ସମସ୍ୟାର ସମାଧାନ ପାଇଁ ବିଏମସିର ଷଣ୍ଢଧରା ଅଭିଯାନକୁ ବ୍ୟାପକ କରିବାକୁ ଦାବି ହୋଇଛି । ଅଧିକ ସଂଖ୍ୟାରେ କାଞ୍ଜିଆହୁଦା ଓ ଗୋଶାଳା ନିର୍ମାଣ କରି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ମତ ଦେଇଛନ୍ତି ଲୋକେ ।

ବିଏମସିର ସ୍ୱତନ୍ତ୍ର ଟିମ ଜରିଆରେ ନିୟମିତ ଷଣ୍ଢଙ୍କୁ ଧରି ଭୁବନେଶ୍ୱର ଉପକଣ୍ଠ ଜାମୁକୋଳି ସ୍ଥିତ ଗୋଶାଳାରେ ରଖାଯାଉଛି । ତଥାପି ସେମାନଙ୍କ ଉପଦ୍ରବ ହ୍ରାସ ପାଉନାହିଁ । ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଜାମୁକୋଳି ଗୋଶାଳାରେ ୨ କୋଟି ୮୦ଲକ୍ଷ ଟଙ୍କା ବିନିଯୋଗରେ ଅଧିକ ୫ଟି ସେଡ୍ ନିର୍ମାଣ କରାଯାଉଛି । ସେହିପରି ପାଇକରାୟପୁର ଅଞ୍ଚଳରେ ୧୫ଏକର ଜମି ଚିହ୍ନଟ କରାଯାଇଛି । ସେଠାରେ ଦ୍ୱିତୀୟ କାଞ୍ଜିଆହୁଦା ଓ ଗୋଶାଳା ନିର୍ମାଣ କରାଯିବ ବୋଲି ସୂଚନା ଦେଇଛନ୍ତି ବିଏମସି ଡେପୁଟି କମିଶନର । କେବଳ ଷଣ୍ଢ କିମ୍ବା ରାସ୍ତା ଉପରେ ବୁଲୁଥିବା ଗୋରୁଗାଈଙ୍କୁ ଉଠାଇ ନେଲେ ନୁହଁ ବରଂ ସେମାନଙ୍କ ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

Leave a Reply