ଜାତୀୟ ରାଜପଥକଡ଼ ଡ୍ରେନ ସଫା କରିବାକୁ NHAIକୁ ପରାମର୍ଶ ଦେଲା ବିଏମସି

ଭୁବନେଶ୍ୱର: ମୌସୁମୀ ଜନିତ ବର୍ଷାରେ ଜଳବନ୍ଦୀ ପରିଚାଳନା ଓ ଡ୍ରେନ ସୁରକ୍ଷା ଜନିତ ସମସ୍ୟାର ମୁକାବିଲା କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ଓ ଜାତୀୟ ରାଜପଥ ପ୍ରାଧିକରଣଙ୍କର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଏମ୍‌ସି କମିଶନର ବିଜୟ ଅମୃତାକୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡ୍ରେନେଜ ସମସ୍ୟା କାରଣରୁ ନାଗରିକଙ୍କ ଅସୁବିଧାକୁ ରୋକିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଥିଲା ।

ପ୍ରବଳବର୍ଷା ଆରମ୍ଭ ହେବା ପୂର୍ବରୁ ଜାତୀୟରାଜପଥ ପ୍ରାଧିକରଣଙ୍କ ଅଧିନରେ ଥିବା ସମସ୍ତ ଡ୍ରେନ ସମସ୍ୟା ସମାଧାନ କରିବାକୁ କମିଶନର କହିଛନ୍ତି ।
ଜଳମଗ୍ନ ଅଂଚଳରେ ପମ୍ପସେଟ୍‌ ମାଧ୍ୟମରେ ଜଳ ପରିଚାଳନା ପାଇଁ ବିଏମ୍‌ସି ପକ୍ଷରୁ କୁହାଯାଇଛି । ଏନଏଚ୍‌ଏଆଇ ଡ୍ରେନ ସଫାକରିବା, ବ୍ୟାରିକେଡ୍‌ ଲଗାଇବା, ଡ୍ରେନ୍‌ର ଗତିପଥକୁ ଆବଶ୍ୟକତା ଅନୁସାରେ ସଜାଡିବା, ମୁକୁଳାଡ୍ରେନ ଉପରେ ସ୍ଲାବ ପକାଇବା ଆଦି ବିଷୟରେ ଗୁରୁତ୍ୱାରୋପ କରିଛନ୍ତି କମିଶନର ।

ଏହାସହିତ ଏନ୍‌ଏଚ୍‌ଏଆଇ ଅଧିନରେ ଥିବା ଇସ୍କନ ମନ୍ଦିର ନିକଟସ୍ଥ ଡ୍ରେନ କାର୍ଯ୍ୟ ପ୍ରତି ଧ୍ୟାନ ଦେବାକୁ ସେ କହିଛନ୍ତି । ଆବଶ୍ୟକ ମରାମତି କାମ ତୁରନ୍ତ ଆରମ୍ଭ କରିବା ସହ ରାସ୍ତାରେ ଥିବା ଖାଲ ଏବଂ ମ୍ୟାନହୋଲ ପରିଚାଳନା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଡ୍ରେନ ସଫାକରିବା, ନିର୍ମାଣର ସଠିକ ନିଷ୍କାସନ ଏବଂ ଧ୍ୱଂସାବଶେଷ ବର୍ଜ୍ୟବସ୍ତୁ ପରିଚାଳନା ଭଳି ସମସ୍ୟା ଯଥାଶୀଘ୍ର ସମାଧାନ କରିବାର ଆବଶ୍ୟକତା ରହିଛି ବୋଲି ସେ ଆଲୋକପାତ କରିଥିଲେ ।

ସଂପୃକ୍ତ ଅଂଚଳରେ ସଡକ ସଫାକରିବା ପାଇଁ ଭ୍ୟାକୁମକ୍ଲିନର ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି । ଜାତୀୟରାଜପଥରେ ଅଧିକଧୂଳିକଣିକାର ପ୍ରଭାବକୁ ମଧ୍ୟ ସ୍ୱୀକାର କରାଯାଇଥିଲା ଏବଂ ପରିବେଶସୁରକ୍ଷା ଦୃଷ୍ଟିରୁ ଏହି ସମସ୍ୟାକୁ ହ୍ରାସ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛିା ଜନସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଡ୍ରେନ କିମ୍ବା ସଡକ ଉପରେ ମାଟିଗଦା ହେଉଥିବା ମାଟି ଏବଂ କଂକ୍ରିଟକୁ ଶୀଘ୍ର ଉଠାଇବାକୁ କୁହାଯାଇଛି । ୮୦ କିଲୋମିଟର ଷ୍ଟ୍ରେଚ୍ ପାଇଁ ମେକାନିକାଲ ସୁଇପିଂ କରାଯାଉଛି, ଯେଉଁଥିରେ ଏନ୍‌ଏଚ୍‌ଏଆଇର୧୮ କିଲୋମିଟର ଜାତୀୟ ସଡକପଥ ବିଏମ୍‌ସି ସୀମା ମଧ୍ୟରେ ରହିଛି । ସଫେଇ ସେ ବା ପାଇଁ ବିଏମ୍‌ସି ବହୁ ଅର୍ଥ ଖର୍ଚ୍ଚକରୁଛି ।

ଏଣୁ ସେ ଖର୍ଚ୍ଚବହନ କରିବାକୁ ଉପସ୍ଥିତ ଏନ୍‌ଏଚ୍‌ଏଆଇ ପ୍ରତିନିଧିଙ୍କୁ ଅବଗତ କରାଇଛନ୍ତି । ଏହି ବୈଠକରେ ଏନ୍‌ଏଚ୍‌ଏଆଇର ଅଧିକାରୀ ନରେନ୍ଦ୍ର ସିଂ, ଅତିରିକ୍ତ କମିଶନର  ଶୁଭେନ୍ଦୁ କୁମାର ସାହୁ, ଡେପୁଟି କମିସନର(ସାନିଟେସନ)ଡକ୍ଟର ମନୋରଂଜନ ସାହୁ, ସିଟିଇଂଜିନିୟର ଅରୁଣ ନାୟକ ଏବଂ ବିଏମ୍‌ସିର ବରିଷ୍ଠ ଇଂଜିନିୟରମାନେ ଉପସ୍ଥିତ ଥିଲେ ।