ଦେଢ଼ ଲକ୍ଷରୁ ଅଧିକ ଟଙ୍କାରେ ଇ-ଓ୍ବେଷ୍ଟ ବିକ୍ରି କଲା ବିଏମସି

1 min read

ଭୁବନେଶ୍ବର: ବିଏମସି ବିକ୍ରି କଲା ଇ- ୱେଷ୍ଟ୍ । ଇ-ବର୍ଜ୍ୟରୁ ମିଳିଲା ଦେଢ଼ ଲକ୍ଷରୁ ଅଧିକ ଟଙ୍କା । ସଂଗୃହୀତ ଇଲେକ୍ଟ୍ରୋନିକ୍‌ ବର୍ଜ୍ୟ ସୀକୃତିପ୍ରାପ୍ତ ପୁନଃଚକ୍ରଣକାରୀ ସଂସ୍ଥାକୁ ବିକ୍ରି କରି ସେ ବାବଦକୁ ଏହି ଅର୍ଥ ବିଏମସି ପାଇଛି । ଗତ ୬ ମାସ ମଧ୍ୟରେ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରୁ ସଂଗୃହୀତ ହୋଇଥିବା ୧୦ ହଜାର ୩ ଶହ କେଜିର ଏହି ଇ-ବର୍ଜ୍ୟ ବିକ୍ରି କରାଯାଇଛି ।

ଏହି ଇ-ବର୍ଜ୍ୟରେ ରହିଛି ବିଦ୍ୟୁତ୍ ବଲ୍, କେବୁଲ୍, ଟିଭି, ଲାପଟପ୍, ମୋବାଇଲ, ଇଣ୍ଡକ୍‌ସନ୍ ଚୁଲା, ମଶା ଧୂପ ଦେବା ରିଫିଲ, ମଶାମରା ବ୍ୟାଟ୍ ଇତ୍ୟାଦି । ପ୍ରତି ଶନିବାର ୪୩୫ଟି ସଫେଇ ଗାଡିରେ ଥିବା ସତନ୍ତ୍ର ଇ-ବର୍ଜ୍ୟ ଡଷ୍ଟବିନରେ ଏହି ବର୍ଜ୍ୟବସ୍ତୁ କର୍ମୀଙ୍କ ଦ୍ବାରା ସଂଗ୍ରହ କରାଯାଉଛି । ଯେଉଁ ଅଞ୍ଚଳକୁ ଗାଡି ଯାଇପାରୁ ନାହିଁ, ସେ ଅଞ୍ଚଳରୁ ଟ୍ରଲି ଜରିଆରେ ସମସ୍ତ ପ୍ରକାର ବର୍ଜ୍ୟ ସଂଗ୍ରହ କରାଯାଉଛି । ଏହି ବର୍ଜ୍ୟ ଭୁବନେଶ୍ବରର ସମୁଦାୟ ୨୨ଟି ସଂପଦ କେନ୍ଦ୍ରରେ ସଂଗ୍ରହ ହୋଇ ନୟାପଲ୍ଲୀରେ ସବୁ ବର୍ଜ୍ୟର ବର୍ଗୀକରଣ କରାଯାଉଛି ।

ବିଏମସିର ଦୈନିକ ବର୍ଜ୍ୟ ସଂଗ୍ରହରେ ସମସ୍ତ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ଓ ବଜାର ଅଞ୍ଚଳରୁ ସଂଗ୍ରହ କରାଯାଏ । ବିଶେଷକରି ଯେଉଁସବୁ ଅନୁଷ୍ଠାନରେ ଏହି ପ୍ରକାରର ବର୍ଜ୍ୟ ରହିଛି, ସେମାନେ ‘ସଫା ଭୁବନେଶ୍ବର ଆପ’ ମାଧ୍ଯମରେ ବିଏମସିକୁ ଯୋଗାଯୋଗ କରିବାକୁ କୁହାଯାଉଛି । ନିଜ ଅଞ୍ଚଳର ସ୍ୱଚ୍ଛ ସାଥୀଙ୍କ ସହ‌ଯୋଗ ନେଇ ଓ କ୍ୟୁଆର୍ କୋଡ୍ ସ୍କାନ୍ କରି ଜଣାଇ ପାରିବେ । ଭୁବନେଶ୍ବରର ପରିମଳ ଦାୟିତ୍ବ ଏକ ଜନ ଆନ୍ଦୋଳନ, ଏଥିରେ ଅଧିକରୁ ଅଧିକ ନାଗରିକଙ୍କ ସହଯୋଗ ପାଇଁ ବିଏମସି ଅନୁରୋଧ କରିଛି ।