୨ ଟନରୁ ଅଧିକ ପ୍ଲାଷ୍ଟିକ୍ ଓ ପଲିଥିନ ରାଜଧାନୀରୁ ଜବତ

ଭୁବନେଶ୍ୱର: ପଲିଥିନ ନିଷେଧ ପରେ ବି ବେଧଡ଼କ ଚାଲିଛି ବ୍ୟବହାର । ରାଜଧାନୀର ଆଇଗିଣିଆ ମାର୍କେଟରେ ବିଏମସିର ଅତର୍କିତ ଚଢାଉ ବେଳେ ୨ଟନରୁ ଅଧିକ ପ୍ଲାଷ୍ଟିକ ଓ ପଲିଥିନ୍ ଜବତ ହୋଇଛି । ୨୦୧୯ ଗାନ୍ଧି ଜୟନ୍ତୀରୁ ପଲିଥିନ ଓ ପ୍ଲାଷ୍ଟିକ ନିଷେଧ କରାଯାଇଛି । ବର୍ଷେ ପରେ ପୁଣି ନିୟମକୁ ବେଖାତିର କରୁଥିବା ଘଟଣା ସାମ୍ନାକୁ ଆସିଛି ।
ଆଇଗିଣିଆ ମାର୍କେଟରେ ଥିବା ସାହୁ ଟ୍ରେଡ଼ର୍ସରେ ଚଢ଼ାଉ ବେଳେ ବିପୁଳ ପରିମାଣର ପ୍ଲାଷ୍ଟିକ ସାମଗ୍ରୀ ଓ ପଲିଥିନ ମିଳିଛି । ନିଷିଦ୍ଧ ହୋଇଥିବା ସାମଗ୍ରୀ ଗଚ୍ଛିତ ଓ ବିକ୍ରିବଟା କରୁଥିବା ଅଭିଯୋଗରେ ୫୦ ହଜାର ଟଙ୍କା ଜରିମାନା ଆଦାୟ କରିଛି ବିଏମସି । ଆଗକୁ ଚଢ଼ାଉ ଜାରି ରହିବ ଓ ଖିଲାପକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବିଏମସି ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ କହିଛନ୍ତି ।