ଆହୁରି ଚକାଚକ୍ ହେବ ରାଜଧାନୀ

ଭୁବନେଶ୍ବର:  ଭୁବନେଶ୍ବର ଫାଷ୍ଟ ନେଇ ମିଶନ ମୋଡରେ ବିଏମସି । ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ରାସ୍ତାକୁ ପକ୍କା କରାଯିବ। ଶ୍ମଶାନରୁ କଲ୍ୟାଣ ମଣ୍ଡପ ସବୁଠି ବଦଳିବ ରୂପରେଖ । ଟେଣ୍ଡର ପକ୍ରିୟା ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବ। ସେପଟେ ସମସ୍ତ ୱାର୍ଡ ଅଞ୍ଚଳର ବିକାଶ ନେଇ କର୍ପୋରେଟରଙ୍କ ପ୍ରସ୍ତାବକୁ ମୋହର ମାରିଛି ବିଏମସି । ବିକାଶ କାର୍ଯ୍ୟ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କର୍ପୋରେଟର ।

ରାଜଧାନୀରେ ହଟିବ କଚ୍ଚା ରାସ୍ତା, ପଡିବ ପକ୍କା ରାସ୍ତା । ଚକାଚକ୍ ହେବ ଗଳିକନ୍ଦିରୁ ସହର । ବଦଳିବ ସମସ୍ତ ଶ୍ମଶାନ ଓ କଲ୍ୟାଣ ମଣ୍ଡପର ରୂପରେଖ । ବିଏମସି ମାରିଲା ମୋହର । ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ କଚ୍ଚା ରାସ୍ତାକୁ ପକ୍କା କରାଯିବ । ପକ୍କା ରାସ୍ତା ନେଇ ସମସ୍ତ କୋର୍ପେରଟର ପ୍ରସ୍ତାବ ଦେଇଛନ୍ତି । ଆଉ କେଉଁ କେଉଁ ୱାର୍ଡରେ କଚ୍ଚା ରାସ୍ତା ରହିଛି, ସେ ସଂପର୍କରେ ତୁରନ୍ତ ଜଣାଇବାକୁ କର୍ପୋରେଟର ମାନଙ୍କୁ ଅପିଲ କରିଛନ୍ତି ମେୟର ଓ କମିଶନର ।

ଭୁବନେଶ୍ୱରରେ ଥିବା ସମସ୍ତ ଶ୍ମଶାନର ଓ କଲ୍ୟାଣ ମଣ୍ଡପର ଚିତ୍ର ବଦଳିବ । ସତ୍ୟ ନଗର ଶ୍ମଶାନକୁ ସ୍ବତନ୍ତ୍ର ରୂପ ଦେବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି ।  ଏବେ ଯୁଦ୍ଧକାଳୀନ ଭିତିରେ ୫ଟି ଶ୍ମଶାନ ଓ ପର୍ଯ୍ୟାୟକ୍ରମେ ସମସ୍ତ ଶ୍ମଶାନର କାମ କରାଯିବାକୁ ନିଷ୍ପତ୍ତି ହୋଇଛି । ସବୁ ଶ୍ମଶାନରେ ଚୁଲା, ପାନୀୟ ଜଳ, ଆଲୋକ, ଶୌଚାଳୟ, ବିଶ୍ରାମାଗାର, ପାର୍କିଂ, ଗାର୍ଡ ଓ କର୍ମଚାରୀଙ୍କ ପାଇଁ ଘର ଆଦି ବ୍ୟବସ୍ଥା ରହିବ । ସେହିଭଳି ପୁରୁଣା କଲ୍ୟାଣ ମଣ୍ଡପର ମଧ୍ୟ ରୂପରେଖ ବଦଳିବ ବୋଲି କମିଶନର କହିଛନ୍ତି ।

ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ବିଭିନ୍ନ ୱାର୍ଡରେ ବିକାଶ ରଥ ଗଡି ଚାଲିଛି । ରାସ୍ତା ଠାରୁ ପୋଖରୀ । କଲ୍ୟାଣ ମଣ୍ଡପ ଠାରୁ ସ୍ମଶାନ । ବିଭିନ୍ନ ୱାର୍ଡରେ ମୁକ୍ତା ଯୋଜନାରେ କାମ ଚାଲିଛି । ଏପରିକି ଏକାଧିକ ୱାର୍ଡରେ ୬୦ ପ୍ରତିଶତରୁ ଅଧିକ କାମ ହୋଇଛି । ଯେଉଁଠାରେ ଭିତ୍ତିଭୂମି ବିକାଶ ନେଇ କାର୍ଯ୍ୟ ବାକି ରହିଛି ସେ ସବୁ କାର୍ଯ୍ୟ ଶେଷ ନେଇ ବିଏମସି ପଦକ୍ଷେପ ନେଉଛି ବୋଲି ବିଭିନ୍ନ ୱାର୍ଡର କର୍ପୋରେଟର ଓ ଭୁବନେଶ୍ବର ବାସିନ୍ଦା କହିଛନ୍ତି ।

ରାଜଧାନୀକୁ ସ୍ବଚ୍ଛ ଓ ସୁନ୍ଦର କରିବା ପାଇଁ ନୂଆ ନୂଆ ଯୋଜନା ହାତକୁ ନେଉଛି ବିଏମସି । ଏବେ ଭିକାରୀ ମୁକ୍ତ ନେଇ କେନ୍ଦ୍ର ପ୍ରଶଂସା କରିଥିବା ବେଳେ ଗରିମା କାର୍ଯ୍ୟକ୍ରମରେ କେନ୍ଦ୍ରର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଓଡିଶାକୁ ପୁରସ୍କୃତ କରିଛି ।