ହୋଲଡିଂ ଟ୍ୟାକ୍ସ ଖିଲାପକାରୀଙ୍କ ନାଁ ସାର୍ବଜନୀନ କଲା ବିଏମସି

1 min read

ନନ୍ଦିଘୋଷ ବ୍ୟୁରୋ : ହୋଲଡିଂ ଟ୍ୟାକ୍ସ ବା ଗୃହ ଟିକସ ଖିଲାପକାରୀଙ୍କ ନାଁ ଘୋଷଣା କରିଛି ଭୁବନେଶ୍ଵର ମହାନଗର ନିଗମ। ବହୁଦିନ ଧରି ବକେୟା ରଖିଥିବା ଏବଂ ଅଧିକ ଟଙ୍କା ବକେୟା ଥିବା ଖିଲାପକାରୀଙ୍କୁ ବିଏମସି ନୋଟିସ୍ ଦେବା ସହିତ ସେମାନଙ୍କ ନାଁ ସାର୍ବଜନୀନ କରିଛି। ସୂଚନା ଅନୁଯାୟୀ, ୫୦ ଲକ୍ଷରୁ ୧ କୋଟି ଟଙ୍କା ବକେୟା ବର୍ଗରେ ଦକ୍ଷିଣ-ପୂର୍ବ ଜୋନ୍ ର ୩ ଜଣ, ଦକ୍ଷିଣ-ପଶ୍ଚିମ ଜୋନ୍ ର ୫ ଜଣ ଏବଂ ଉତ୍ତର ଜୋନର ୭ ଜଣ ରହିଛନ୍ତି । ସେହିପରି, ୧ କୋଟିରୁ ଉର୍ଦ୍ଧ୍ୱ ବକେୟା ରାଶିରେ ଦକ୍ଷିଣପୂର୍ବ ଜୋନ୍ ର ୫ ଜଣ, ଦକ୍ଷିଣ-ପଶ୍ଚିମ ଜୋନ୍ ର ୫ ଜଣ ଏବଂ ଉତ୍ତର ଜୋନ୍ ର ୬ ଜଣ ରହିଛନ୍ତି ।

ବିଏମସି କମିଶନର୍ ରାଜେଶ ପ୍ରଭାକର ପାଟିଲା କହିଛନ୍ତି, ବାରମ୍ୱାର ବୁଝାଇବା ସତ୍ତ୍ଵେ କିଛି ମାଲିକ ଖିଲାପ କରୁଛନ୍ତି। ସେଥିପାଇଁ ନୋଟିସ୍ ଦିଆଯିବା ସାଙ୍ଗକୁ କଲେକସନ୍ ଟିମ୍ ସେମାନଙ୍କ ନିକଟକୁ ଯାଉଛନ୍ତି । କିଛି ବ୍ୟକ୍ତି ଅନେକ ଦିନ ହେବ ଘର କରିଥିଲେ ବି ଆଢ଼ୁଆଳରେ ରହି ଟିକସ ଫାଙ୍କିବାର ଦୃଷ୍ଟିଗୋଚର ହୋଇଛି । କିଛି ବ୍ୟବସାୟିକ ଅନୁଷ୍ଠାନଙ୍କୁ ସିଲ୍ କରିବାକୁ ନୋଟିସ୍ ପରେ ସେମାନେ ଟ୍ୟାକ୍ସ ଦେଇଛନ୍ତି। ବକେୟା ଟ୍ୟାକ୍ସ ତୁରନ୍ତ ପ୍ରଦାନ କରିବାକୁ ବିଏମସି ପକ୍ଷରୁ ଖିଲାପକାରୀଙ୍କୁ ଚେତାଇ ଦିଆଯାଇଛି। ସହଯୋଗ ନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ବିଏମସି। ନାଗରିକମାନେ ଅନ୍ ଲାଇନ୍ ରେ କିମ୍ବା ପାଖ ୱାର୍ଡ ଅଫିସରେ ଏହି ଟ୍ୟାକ୍ସ ଦେଇପାରିବେ।