୧୨ରୁ ରାଜଧାନୀରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

ଭୁବନେଶ୍ୱର: ଭୁବନେଶ୍ୱରରେ ଭକ୍ତଙ୍କ ପାଇଁ ଖୋଲିବ ମନ୍ଦିର । ଆସନ୍ତା ୧୨ ତାରିଖରେ କୋଭିଡ ଗାଇଡଲାଇନ ଅନୁସାରେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏନେଇ ବିଏମସି ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା । ଡବଲ ଡୋଜ୍ ଭ୍ୟାକ୍ସିନ ନେଇଥିବା ଭକ୍ତଙ୍କୁ ମିଳିବ ମନ୍ଦିର ପ୍ରବେଶ ଅନୁମତି । ମନ୍ଦିରର ଗର୍ଭଗୃହକୁ ପ୍ରବେଶ ପାଇଁ ବାରଣ ହୋଇଛି । ସେହିପରି ଭଗବାନଙ୍କ ପାଖରେ ଭୋଗ ମଧ୍ୟ ଲଗାଇପାରିବେ ନାହିଁ । ପରିଚୟ ପତ୍ର ଦେଖାଇ ୧୫ ବର୍ଷରୁ କମ୍ ବୟସର ଶିଶୁ ମନ୍ଦିର ପ୍ରବେଶ କରିପାରିବେ ।

ସେହିପରି ଗୋଟିଏ ଥରରେ ଲିଙ୍ଗରାଜ ମନ୍ଦିରକୁ ଶହେ ଭକ୍ତଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି । ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ମଧ୍ୟ ୧୨ ତାରିଖରେ ଖୋଲିବ । ୨ଟି ଡୋଜ୍ ଭ୍ୟାକ୍ସିନ ନେଇଥିବା ମନ୍ଦିର ପୂଜକ ଓ ସେବାୟତ ହିଁ ମନ୍ଦିରରେ ରହିବେ । ଧର୍ମାନୁଷ୍ଠାନରେ ପ୍ରବେଶ ସମୟରେ ସମସ୍ତ ଭକ୍ତ ମୁହଁରେ ମାସ୍କ ଲଗାଇବା ସହ ସାମାଜିକ ଦୂରତା ଅବଲମ୍ବନ କରିବେ । ଧର୍ମାନୁଷ୍ଠାନ ବାହାରେ ସାନିଟାଇଜର ରହିବା ବାଧ୍ୟମତାମୂଳକ । ମନ୍ଦିର ବାହାରେ ଓ ଭିତରେ ପାନ ଗୁଟଖା ଚୋବାଇବା ମନା । ସାମାନ୍ୟ କରୋନା ଲକ୍ଷଣ ଥିଲେ ମନ୍ଦିର ପ୍ରବେଶ ଅନୁମତି ଦିଆଯିବ ନାହିଁ । ସେହିପରି ବୃଦ୍ଧ ଓ ଗର୍ଭବତୀଙ୍କୁ ମନ୍ଦିର ନଯିବାକୁ ପରାମର୍ଶ ଦିଆଯାଇଛି । ୨୮ ଫେବ୍ରୁଆରୀ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ।

Leave a Reply