ଲକ୍ଷ୍ମୀ ପୂଜା ଓ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବିଏମସିର ଗାଇଡଲାଇନ ଜାରି

ଭୁବନେଶ୍ୱର: କାର୍ତ୍ତିକ ମାସ ପାଇଁ ପୂଜା ଗାଇଡ୍‌ଲାଇନ ଜାରି କଲା ବିଏମସି । ରାଜଧାନୀରେ ଲକ୍ଷ୍ମୀ ପୂଜାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ହେବାକୁ ଥିବା ପୂଜା ଲାଗି ମାର୍ଗଦର୍ଶିକା ଜାରି କରିଛି ଭୁବନେଶ୍ବର ମ୍ୟୁନିସିପାଲିଟି କର୍ପୋରେସନ। କରୋନା କଟକଣାରେ ପୂଜା ପାଳନ ହେବ।

ଲକ୍ଷ୍ମୀ ଓ କାର୍ତ୍ତିକେଶ୍ବରଙ୍କ ମୂର୍ତ୍ତିର ଉଚ୍ଚତା ୪ଫୁଟ ମଧ୍ୟରେ ରହିବ । ପୂଜା ମଣ୍ଡପରେ ୭ଜଣରୁ ଅଧିକ ଲୋକ ଉପସ୍ଥିତ ରହିବା ମନା । ଏହାସହ ପୂଜା ମଣ୍ଡପ ଓ ଏହାର ଆଖପାଖରେ କୌଣସି ସାଂସ୍କୃତିକ ଓ ଧାର୍ମିକ ସମାବେଶ କରାଯିବ ନାହିଁ ବୋଲି ବିଏମସି ଗାଇଡଲାଇନ ଜାରି କରିଛି । ସେହିପରି ଭସାଣ ଶୋଭାଯାତ୍ରାରେ ମଧ୍ୟ କଟକଣା ଲଗାଯାଇଛି । ଭସାଣି ଶୋଭାଯାତ୍ରାରେ ସର୍ବାଧିକ ୧୦ଜଣ ଲୋକ ସାମିଲ ହୋଇପାରିବେ । ଭସାଣିରେ ସାମିଲ ହୋଇଥିବା ଲୋକମାନେ କରୋନା ଡବଲ ଡୋଜ୍ ଟିକା ନେଇଥିବା ବାଧ୍ୟତାମୂଳକ ।

ସେହିପରି କାର୍ତ୍ତିକ ବ୍ରତ ବେଳେ ହବିଷ୍ୟାଳିଙ୍କୁ ମନ୍ଦିରରେ ଏକତ୍ରିତ ହେବା ଉପରେ କଟକଣା ଜାରି କରାଯାଇଛି। କୌଣସି ମନ୍ଦିରରେ ରହି ହବିଷ୍ୟାଳି କାର୍ତ୍ତିକ ବ୍ରତ କରିପାରିବେ ନାହିଁ । ବିନ୍ଦୁସାଗର ଓ ଅନ୍ୟ ସମସ୍ତ ନଦୀ ପୁଷ୍କରିଣୀରେ କାର୍ତ୍ତିକ ଉତ୍ସବ ପାଳନକୁ ବାରଣ କରାଯାଇଛି । ତେବେ ଏଥିରେ ଖିଲାପ ହେଲେ ସମ୍ପୃକ୍ତ ବ୍ୟକ୍ତି ତଥା ସଂଗଠନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦିଆଯାଇଛି।

Leave a Reply