ଭିଡ଼ ନିୟନ୍ତ୍ରଣ ରୋକିବ କରୋନା ସଂକ୍ରମଣ, ବିଏମସି ପକ୍ଷରୁ ଏସଓପି ଜାରି

1 min read

ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମଣ ରୋକିବାକୁ ବିଏମସିର ପ୍ରସ୍ତୁତି । ବିଏମସି କାର୍ଯ୍ୟାଳୟରେ ବସିଥିବା ବୈଠକରେ କରୋନା ମୁକାବିଲା ନେଇ ଆଲୋଚନା ହୋଇଛି । ରାଜଧାନୀରେ ଥିବା ସମସ୍ତ ହୋଟେଲ ଓ ମଲ୍ ପାଇଁ ବିଏମସି ଏସଓପି ଜାରି କରିଛି । ଏସଓପି ପାଳନ ନକଲେ ବିଏମସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ହୋଟେଲ ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣରେ ହ୍ୟାଣ୍ଡ ୱାସ୍ ମହଜୁଦ୍ ରଖିବା ସହ କମ୍ ସଂଖ୍ୟକ ଅତିଥି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷକରି ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ଯାତ୍ରା ବିବରଣୀ ଓ ମୋବାଇଲ ନମ୍ବର ସଂଗ୍ରହ କରିବେ ।

କରୋନା: ଦ୍ୱିତୀୟ ପର୍ଯ୍ୟାୟରେ ହିଁ ଜିତିବାକୁ ହେବ ଯୁଦ୍ଧ

ସେହିଭଳି ଉତ୍ସବ ସମୟରେ ପରସ୍ପର ମଧ୍ୟରେ ଦୂରତା ରଖିବାକୁ ବିଏମସି ମାଇକ୍ ମାଧ୍ୟମରେ ସଚେତନ କରିବ । ଥଣ୍ଡା, ଜ୍ୱର ହୋଇଥିବା ବ୍ୟକ୍ତି ବିଶେଷ ଉତ୍ସବରେ ସାମିଲ ନହେବାକୁ ବିଏମସି ପକ୍ଷରୁ କୁହାଯାଇଛି । ପାର୍କ ଗୁଡ଼ିକରେ ମୁକ୍ତାକାଶ ଜିମ୍ ସାମଗ୍ରୀକୁ ଆସନ୍ତାକାଲି ଠାରୁ ଲକ୍ କରାଯିବ । ଚିକିତ୍ସା ବେଳେ କୌଣସି ସନ୍ଦିଗ୍ଧ ଚିହ୍ନଟ ହେଲେ ଡାକ୍ତରଖାନା କର୍ତ୍ତୃପକ୍ଷ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ବିଏମସିକୁ ଜଣାଇବେ ।

ବିଏମସିରେ ଆସନ୍ତାକାଲି ଠାରୁ ଖୋଲିବ ସ୍ୱତନ୍ତ୍ର କୋଭିଡ-୧୯ ସେଲ୍ । ଏହି ସେଲ୍ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କରୋନା ସମ୍ପର୍କିତ ତଥ୍ୟ ଓ ସୂଚନା ଦେବ । ବିଏମସି କଲ୍ୟାଣ ମଣ୍ଡପ ଆଉ ବୁକିଂ କରାଯିବ ନାହିଁ । ଘରୋଇ ମଣ୍ଡପ ଗୁଡ଼ିକ ବୁକିଂ ରଖିଲେ ଏସଓପି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଚିଂ ସେଣ୍ଟର ଗୁଡ଼ିକୁ କ୍ଲାସ୍ ବନ୍ଦ କରିବା ପାଇଁ ଚିଠି ଯୋଗେ ଅବଗତ କରାଯାଇଛି । ମାସ୍କ ଓ ସାନିଟାଇଜରର କଳାବଜାରୀ ରୋକିବା ପାଇଁ ୩ଟି ସ୍କ୍ୱାଡ୍ ଗଠନ କରାଯାଇଛି । ବିଏମସି ସଫେଇ ଉପରେ ଧ୍ୟାନ ଦେଇଥିବା ବେଳେ ୧୦୦ଟି ସ୍ପ୍ରେ ମେସିନ୍ ଅଣାଯିବ ।

କରୋନାରୁ ବର୍ତ୍ତିବା ପାଇଁ କଣ ସବୁ କରିବେ ?

ବିଏମସିର ଅଧିକାରୀ ମାନେ ୨ ଘଣ୍ଟା ଧରି ବିଭିନ୍ନ ୱାର୍ଡ ବୁଲି ସ୍ଥିତିର ତଦାରଖ କରିବେ । ଅନ୍ୟପଟେ ଗୁରୁତ୍ୱର ଅଭିଯୋଗ ନଥିଲେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ନଆସିବାକୁ ବିଏମସି ଅନୁରୋଧ କରିଛି । ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଭୁବନେଶ୍ୱରର ସମସ୍ତ ଘରୋଇ ହସ୍ପିଟାଲ, ହୋଟେଲ ଓ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ ।

Leave a Reply