BMCରେ ଆଜି ଡେପୁଟି ମେୟର ନିର୍ବାଚନ, ସକାଳ ୧୦ଟାରୁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ନିର୍ବାଚନ । ସକାଳ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରାଯିବ । ୧୧ଟାରୁ ୧୨ଟା ସୁଦ୍ଧା ନାମାଙ୍କନ ଯାଞ୍ଚ ଓ ଅପରାହ୍ନ ଗୋଟାଏ ପୂର୍ବରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିହେବ । ସେହିପରି ୧.୩୦ରୁ ୩.୩୦ ମଧ୍ୟରେ ଡେପୁଟି ମେୟର ନିର୍ବାଚନ ଶେଷ ହେବ । ଭୁବନେଶ୍ୱରରେ ମୋଟ ୬୭ କର୍ପୋରେଟର ଆସନରୁ ୪୮ ଆସନରେ ବାଜିମାତ୍ କରିଥିଲା ବିଜେଡି । ବିଜେପିକୁ ୧୦ଟି ଆସନ ମିଳିଥିବାବେଳେ ସ୍ୱାଧୀନଙ୍କୁ ମିଳିଥିଲା ୯ଟି ଆସନ । ତେବେ ସ୍ୱାଧୀନଙ୍କ ମଧ୍ୟରୁ ଏକାଧିକ ସ୍ୱାଧୀନ କର୍ପୋରେଟର ବିଜେଡିରେ ଯୋଗ ଦେଇଛନ୍ତି ।

ବିଜେଡି ୪୮ ଆସନ ଅକ୍ତିଆର କରିଥିବାରୁ ଡେପୁଟି ମେୟର ବିଜେଡିରୁ ହେବା ଅନୁମାନ କରାଯାଉଛି । ଏହାସହ ଆଜି ନବ ନିର୍ବାଚିତ ମେୟର ଓ କର୍ପୋରେଟର ଶପଥ ନେବେ । ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟ ସୂଚୀ ଅନୁସାରେ କାର୍ଯ୍ୟକ୍ରମ ଆୟୋଜନ ହେବ । ଭୁବନେଶ୍ୱର ମହାନଗର ନିଗମର କାଉନସିଲ୍ ହଲରେ ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ନବ ନିର୍ବାଚିତ ମେୟରଙ୍କ ଦପ୍ତରକୁ ସଜାଯାଇଥିବା ବେଳେ, ପୌର ପ୍ରଶାସନର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ମେୟରଙ୍କୁ ଶପଥ କରାଇବେ ।