ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା : ୫ ଜଣଙ୍କୁ ଗିରଫ କରି ଚୁପ ପୋଲିସ, କେବେ ବନ୍ଧା ହେବେ ମାଷ୍ଟରମାଇଣ୍ଡ

ନନ୍ଦିଘୋଷ ବ୍ୟୁରୋ ; ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ ଘଟଣାରେ ଉଠୁଛି ପଡୁଛି ସାରା ରାଜ୍ୟ। ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ବିଜେପି କର୍ମୀ ଓ କର୍ପୋରେଟର ମାଡ ମାରିଥିବା ସ୍ପଷ୍ଟ ହୋଇସାରିଛି । ବଦନାମ ହେବା ଭୟରେ ବିଜେପି ରାଜ୍ୟ ସଭାପତି ସମ୍ପୃକ୍ତ ୫ ଜଣଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି । ସେହିଭଳି ଘଟଣା ପଛରେ ବିଜେପିର ପରାଜିତ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ପରୋକ୍ଷ ହାତ ଥିବା ମଧ୍ୟ ଆଜି ତାଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହୋଇଛି । ଏହି ଘଟଣା ପଛରେ ଜଗନ୍ନାଥ ପ୍ରଧାନଙ୍କ ହାତ ରହିଛି । ତାଙ୍କୁ ଗିରଫ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇ ଆସୁଛି। ଏପଟେ ଓଏଏସ ଅଧିକାରୀ ତଥା ବିଏମସି ଅତିରିକ୍ତ କମିଶନଙ୍କୁ ମାଡ ପ୍ରତିବାଦରେ ଓଏଏସ ଏବଂ ଆଇଏଏସ ସଂଘ ମଧ୍ୟ କ୍ଷୁବ୍ଧ ହୋଇଛି । ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନ ଜଣାଇ ଓଏଏସ ସଂଘ ଡାକରା ଦେଇଥିବା ସମୂହ ଛୁଟି ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ ବି ସରକାରଙ୍କୁ ୨୪ ଘଣ୍ଟାର ମହଲତ ଦେଇଛି । ସେପଟେ ବିଭିନ୍ନ ଜିଲ୍ଲାରେ ଓଏଏସ ଅଧିକାରୀମାନେ ସମୂହ ଛୁଟିରେ ଯିବାକୁ ଘୋଷଣା କରିଛନ୍ତି ।
ସେହିଭଳି ଏହି ଘଟଣାକୁ ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ବିଏମସିର ସ୍ବଚ୍ଛ କର୍ମଚାରୀ। ଆନ୍ଦୋଳନ ଯୋଗୁ ରାଜଧାନୀ ରାସ୍ତାରୁ ଉଠୁନି ଅଳିଆ। ବିଏମସି କାର୍ଯ୍ୟାଳୟରେ ମଧ୍ୟ ଆଜି ଅଚଳାବସ୍ଥା ଦେଖିବାକୁ ମିଳିଛି । କର୍ମଚାରୀମାନେ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟବନ୍ଦ କରିଛନ୍ତି । ଅଭିଯୁକ୍ତଙ୍କ ଗିରଫ ଦାବିରେ ଧାରଣାରେ ବସିଛନ୍ତି ବିଏମସି କର୍ପୋରେଟର।
ଆକ୍ରମଣ ଘଟଣାରେ ୬ରୁ ୭ ଜଣ ସମ୍ପୃକ୍ତ ଥିବା ବେଳେ, ପୋଲିସ ମାତ୍ର ୪ ଜଣଙ୍କୁ ଗିରଫ କରିଛି। ଅନ୍ୟମାନଙ୍କୁ ଗିରଫ ସାଙ୍ଗକୁ ପ୍ରଚ୍ଛଦରେ ଥିବା ଷଡଯନ୍ତ୍ରକାରୀଙ୍କୁ ଗିରଫ କରିବାକୁ ଦାବି ଜୋର ଧରିବାରେ ଲାଗିଛି । ଏପଟେ ଏହି ଘଟଣାକୁ ନେଇ ମଧ୍ୟ ତେଜୁଛି ରାଜନୀତି। ବିଜେପି ସରକାରକୁ ସିଧାସଳଖ ଘେରିଛନ୍ତି କଂଗ୍ରେସ ଓ ବିଜେଡି। ଘଟଣାକୁ ଭିନ୍ନ ମୋଡ ଦେବା ପାଇଁ ସାମ୍ନାକୁ ଆସିଛନ୍ତି ୩୪ ନମ୍ବର ଓ୍ବାର୍ଡର ସ୍ବଚ୍ଛ ସାଥୀ ରେବତୀ ରାଉତ । ସେ କହିଛନ୍ତି ଯେ, ତାଙ୍କୁ ଚାକିରିରୁ ବାହାର କରିବା ପାଇଁ ଯୋଜନା ଚାଲିଥିଲା । ଏହାକୁ ନେଇ ସେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ବିରୋଧରେ ଥାନାର ଦ୍ବାରସ୍ଥ ହୋଇଥିଲେ। ଚାକିରିରୁ ବାହାର କରିବାକୁ ଯୋଜନା ହୋଇଥିବା ନେଇ ଜଗନ୍ନାଥ ପ୍ରଧାନଙ୍କୁ ଜଣାଇଥିଲେ ରେବତୀ। ଘଟଣା ବାବଦରେ ଜଗନ୍ନାଥ ପ୍ରଧାନ କହିଛନ୍ତି ଯେ, ଏ ସମ୍ପର୍କରେ କଥା ହେଲା ବେଳେ ରତ୍ନାକର ସାହୁ ତାଙ୍କୁ ଦର୍ବ୍ୟବହାର କରିଥିଲେ। ଆଉ ତାପରେ ଏହି ଘଟଣା ଘଟିଛି।