ଏଣିକି ରାସ୍ତାରେ ଅଳିଆ ପକାଇଲେ ଦେବାକୁ ପଡ଼ିବ ୫ ହଜାର ଜରିମାନା

ଭୁବନେଶ୍ୱର: ଭୁବନେଶ୍ବର ୧ ନମ୍ବର ହାଟରେ କୁଢ କୁଢ ଅଳିଆ । ଡଷ୍ଟବିନ ବ୍ୟବହାର କରୁନଥିବାରୁ ଉଠୁନି ଅଳିଆ । ବିଏମସିର ନିର୍ଦ୍ଦେଶକୁ ମାନୁନାହାନ୍ତି ବ୍ୟବସାୟୀ । ଓଦା ଓ ଶୁଖିଲା ଅଳିଆ ଅଲଗା ରଖିବାକୁ ନିର୍ଦ୍ଦେଶ ହୋଇଛି । ଏହାକୁ ମାନୁନାହାନ୍ତି ବ୍ୟବସାୟୀ । କିଛି ବ୍ୟବସାୟୀ ମାତ୍ର ଗୋଟିଏ ଡଷ୍ଟବିନ ରଖିଛନ୍ତି ।
ଓଦା ଶୁଖିଲା ଅଳିଆ ମିଶେଇ ରଖୁଛନ୍ତି । ଫଳରେ ପ୍ରକ୍ରିୟାକରଣ କରିବା ପାଇଁ ଅସୁବିଧା ହେଉଛି । ଆଉ କିଛି ବ୍ୟବସାୟୀ ଡଷ୍ଟବିନ ରଖିନଥିବାରୁ ରାସ୍ତାରେ ଅଳିଆ ପକାଉଛନ୍ତି । ରାସ୍ତାରେ ଅଳିଆ ପଡିବା ପରେ ଆକ୍ସନ ମୋଡରେ ବିଏମସି କମିଶନର । ସମସ୍ୟାର ସମାଧାନ ପାଇଁ ବ୍ୟବସାୟୀ ସଂଘ ସହ ବୈଠକ ଡାକିଛନ୍ତି କମିଶନର ।
ଡଷ୍ଟବିନ ରଖିନଥିବା ବ୍ୟବସାୟୀଙ୍କୁ ୫ ହଜାର ଫାଇନ କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଅଳିଆ ପୃଥକୀକରଣ ନକଲେ ୫ ଶହ ଗଣିବେ ଫାଇନ । ୧ ନମ୍ବର ହାଟ, ମାଷ୍ଟରକ୍ୟାଣ୍ଟିନ ଛକ, ଜନପଥ ରାସ୍ତା, ଅଶୋକନଗର ବୁଲିବା ପରେ ଏଭଳି କଡା ନିର୍ଦ୍ଦେଶ ଦେଇଛନ୍ତି ବିଏମସି କମିଶନର ।