ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ପରିମାଣର ରାଜସ୍ବ ଆଦାୟ କରିଛି ବିଏମସି
1 min readଭୁବନେଶ୍ୱର: ରାଜସ୍ବ ଆଦାୟ କ୍ଷେତ୍ରରେ ବିଏମସିର ବଡ଼ ସଫଳତା । ଚଳିତ ଆର୍ଥିକ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ପରିମାଣର ରାଜସ୍ବ ଆଦାୟ କରିଛି ବିଏମସି । କେବଳ ହୋଲ୍ଡିଂ ଟ୍ୟାକ୍ସରୁ ଆଦାୟ ହୋଇଛି ୫୦କୋଟିରୁ ଅଧିକ ରେକର୍ଡ ପରିମାଣର ଅର୍ଥ । ୧ ହଜାର ୬୦୮ଜଣ ବଡ଼ ବଡ଼ ଖିଲାପକାରୀ ଚିହ୍ନଟ ହୋଇଛନ୍ତି । ଖିଲାପକାରୀଙ୍କ ଠାରେ ପଡ଼ି ରହିଛି ୩୩ କୋଟି ଟଙ୍କା ।
ବାରମ୍ବାର ନୋଟିସ ପରେ ମଧ୍ୟ ଟିକସ ଦେବାରେ ଅବହେଳା କରୁଛନ୍ତି ବିଭିନ୍ନ ସଂସ୍ଥା । ଖିଲାପକାରୀଙ୍କ ପାଖରେ ବକେୟା ପଡିଛି ପ୍ରାୟ ୩୩କୋଟି ଟଙ୍କାର ହୋଲ୍ଡିଂ ଟ୍ୟାକ୍ସ । ଆଦାୟ ପାଇଁ ସେମାନଙ୍କ ନାମରେ ସର୍ବସାଧାରଣରେ ଲଗାଯାଇଛି ନାମ ତାଲିକା । ପଠାଯାଇଛି ରେଡ୍ ନୋଟିସ୍ । ଏବେ ଓପିଡିଆର କେସ୍ ରୁଜୁ ସହ ସମ୍ପତ୍ତି ବାଜ୍ୟାପ୍ତି ପାଇଁ କରାଯାଉଛି ନୋଟିସ୍ । ଚଳିତ ଆର୍ଥିକ ବର୍ଷରେ ବିଏମସି ମୋଟ ୯୦କୋଟି ଟଙ୍କାର ରାଜସ୍ବ ଆଦାୟ କରିବାର ଲକ୍ଷ୍ୟ ରଖିଥିଲା । ସେଥିରୁ ୪୩କୋଟି କେବଳ ହୋଲ୍ଡିଂ ଟ୍ୟାକ୍ସ । ତେବେ କୋଭିଡ ଓ ବର୍ଦ୍ଧିତ ଟ୍ୟାକ୍ସ ସ୍ଥଗିତ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସତ୍ତ୍ୱେ ରେକର୍ଡ ପରିମାଣର ପ୍ରାୟ ୫୦କୋଟି ଟଙ୍କାର ହୋଲ୍ଡିଂ ଟ୍ୟାକ୍ସ ଆଦାୟ ହୋଇଛି । ଯାହା ବିଏମସି ପାଇଁ ସର୍ବକାଳୀନ ରେକର୍ଡ ।
ଚଳିତ ଆର୍ଥିକ ବର୍ଷରେ ରାଜସ୍ବ ଆଦାୟ କମ୍ ହେବା ଆଶଙ୍କା ଥିଲା । ତଥାପି ୩ଟି ଜୋନରେ ଜୋନାଲ ଡେପୁଟି କମିଶନରଙ୍କ ସହିତ ୱାର୍ଡ ଅଫିସରଙ୍କୁ ଟାର୍ଗେଟ୍ ଦିଆଯାଇଥିଲା । ବାରମ୍ବାର ନୋଟିସ୍ ପରେ ମଧ୍ୟ ବଡ଼ ଖିଲାପକାରୀ ଅବହେଳା କରିବା ପରେ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପଦକ୍ଷେପ ନିଆଯାଇଛି । ଏଭଳି ପରିସ୍ଥିତିରେ ପାହାଳ ସ୍ଥିତ ଆପେକ୍ସ କଲେଜ ୨୦୧୨-୧୩ ମସିହାରୁ ବକେୟା ଥିବା ୬ କୋଟି ୨୯ଲକ୍ଷ ଟଙ୍କାରୁ ଶତକଡା ୫୦ ପ୍ରତିଶତ ୩କୋଟି ଟଙ୍କା ପ୍ରଦାନ କରିଛି । ଅବଶିଷ୍ଟ ପର୍ଯ୍ୟାୟ କ୍ରମେ ପଇଠ କରିବାକୁ ଲିଖିତ ଦେଇଛି ।
ସେପଟେ ବଡ଼ ବଡ଼ ଖିଲାପକାରୀଙ୍କ ଠାରୁ ବକେୟା ଟ୍ୟାକ୍ସ ଆଦାୟ ପାଇଁ ନିୟୋଜିତ ହୋଇଥିବା କିନ୍ନରଙ୍କ ଟିଜି ସ୍ବିକୃତୀ ଗ୍ରୁପ୍ ଦୁଇ ମାସରେ ପ୍ରାୟ ୫କୋଟି ଟଙ୍କାର ବକେୟା ହୋଲ୍ଡିଂ ଟେକ୍ସ ଆଦାୟରେ ସଫଳ ହୋଇଛନ୍ତି । ବର୍ଦ୍ଧିତ ଡୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ ପରେ ଲୋକଙ୍କୁ ଆଶ୍ବସ୍ତି ମିଳିଛି । ସେପଟେ ବଡ ବଡ ଖିଲାପକାରୀଙ୍କୁ ମଧ୍ୟ ପ୍ରଥମେ ଶତକଡା ୫୦ଭାଗ ଓ ଅବଶିଷ୍ଟ ପର୍ଯ୍ୟାୟ କ୍ରମେ ପଇଠ କରିବାକୁ ସୁଯୋଗ ଦେଇଛି ବିଏମସି ।