ସିଲ୍ ହେଲା ପୁରୀ ବାଇପାସ୍ ରେଷ୍ଟୁରାଣ୍ଟ, ୧୫୦ ଜଣ ପାଳୁଥିଲେ ଜନ୍ମଦିନ
ଭୁବନେଶ୍ୱର: କୋଭିଡ୍ କଟକଣାରେ ସଭା ସମିତି, ଏକାଠି ହେବା ମନା । ତେବେ, ସବୁ ନିୟମକୁ ଉଲ୍ଲଂଘନ କରି ରାଜଧାନୀରେ ଚାଲିଥିଲା ଜନ୍ମଦିନ ପାର୍ଟି । ବର୍ଥ ଡେ ପାର୍ଟିରେ ୧୫୦ ଜଣ ସାମିଲ୍ ହୋଇଥିଲେ । ଏ ସମ୍ପର୍କରେ ଖବର ପାଇ ରେଷ୍ଟୁରାଣ୍ଟରେ ମଞ୍ଚେଶ୍ୱର ଥାନା ପୋଲିସ ଓ ବିଏମସିର ସ୍ୱତନ୍ତ୍ର ଟିମ୍ ରେଡ୍ କରିଥିଲେ । ପୁରୀ ବାଇପାସ୍ ରେଷ୍ଟୁରାଣ୍ଟକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ସିଲ୍ କରି ଦିଆଯାଇଛି ।
ମଞ୍ଚେଶ୍ୱର ଥାନା ପୋଲିସ ଓ ବିଏମସିର ସ୍ୱତନ୍ତ୍ର ଟିମ୍ ପୁରୀ ବାଇପାସ୍ ରେଷ୍ଟୁରାଣ୍ଟକୁ ସିଲ୍ କରି ଦେଇଛି । ଏଥିସହ ଜନ୍ମଦିନ ପାର୍ଟିରେ ସାମିଲ୍ ହୋଇଥିବା ସମସ୍ତଙ୍କ ଠାରୁ ୫୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସଭା ସମିତି ବାରଣ ରହିଛି । ବିବାହ ଉତ୍ସବରେ ସର୍ବାଧିକ ୫୦ ଜଣଙ୍କୁ ସାମିଲ୍ ପାଇଁ ଅନୁମତି ଦିଆଯାଉଛି । ଏଠି କିନ୍ତୁ ଜନ୍ମଦିନ ପାର୍ଟିରେ ୧୫୦ରୁ ଅଧିକ ଜଣ ଯୋଗ ଦେଇଥିଲେ । ତାହା ପୁଣି ବିନା ଅନୁମତିରେ ।
ପୁରୀ ବାଇପାସ୍ ରେଷ୍ଟୁରାଣ୍ଟରେ ୧୫୦ରୁ ଅଧିକ ଜଣଙ୍କୁ ନେଇ ଜନ୍ମଦିନ ସେଲିବ୍ରେସନ୍ ହେଉଥିଲା । ରେଷ୍ଟୁରାଣ୍ଟରେ ଖାଇବା ନେଇ ଅନୁମତି ନଥିବା ବେଳେ ଏଠାରେ ସଂଖ୍ୟାଧିକ ଲୋକ ଏକାଠି ବସି ଖାଉଥିବା ମଧ୍ୟ ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ ସାମାଜିକ ଦୂରତା ନଥିବା ବେଳେ ଅଧିକାଂଶଙ୍କ ମୁହଁରେ ମାସ୍କ ମଧ୍ୟ ନଥିଲା । ତେବେ, ରେଷ୍ଟୁରାଣ୍ଟ କର୍ତ୍ତୃପକ୍ଷ କିଭଳି ସଂକ୍ରମଣକୁ ଭୟ ନକରି ୧୫୦ ଜଣଙ୍କୁ ଗୋଟିଏ କାର୍ଯ୍ୟକ୍ରମରେ ଅନୁମତି ଦେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।