spot_img

Latest Posts

ବିଏମ୍‌ସିକୁ ଘାରିଛି ଭୁବନେଶ୍ୱରର ପରିମଳ ଚିନ୍ତା, ସ୍ୱଚ୍ଛ କରିବା ପାଇଁ ଅଣ୍ଟା ଭଡ଼ିଛି ବିଏମ୍‌ସି

ଭୁବନେଶ୍ୱର: ଦିନକୁ ଦିନ ବଢିଚାଲିଛି ଭୁବନେଶ୍ୱରର ଜନସଂଖ୍ୟା । ଏଥି ସହ ବଢିଚାଲିଛି ପରିମଳ ଜନିତ ସମସ୍ୟା। ଯାହାର ସମାଧାନ ପାଇଁ ବିଏମସି ନେଉଛି ଅନେକ ପଦକ୍ଷେପ। ସ୍ମାର୍ଟସିଟି ଭୁବନେଶ୍ୱରକୁ ODF ବା ବାହ୍ୟ ମଳ ତ୍ୟାଗ ମୁକ୍ତ ସହର କରିବା ବିଏମସି ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ମଳ ସୁପରିଚାଳନା ପାଇଁ ବାସୁଆଘାଇ ନିକଟରେ ଗୋଟିଏ ପ୍ଲାଣ୍ଟ କରାଯାଇଥିବା ବେଳେ ବର୍ତ୍ତମାନ ପୁଣି ମଞ୍ଚେଶ୍ୱର ରୋକଟ ଗ୍ରାମ ନିକଟରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ ହୋଇଛି ଆଉ ଏକ ପ୍ରକଳ୍ପ।

ଦୁଇ ଏକର ପରିମିତ ଜମିରେ ପ୍ରାୟ ସାଢ଼େ 5କୋଟି ଟଙ୍କା ବ୍ୟୟରେ ସ୍ଥାପନ ହୋଇଛି ବିଏମସିର ଏହି ଦ୍ୱିତୀୟ ମଳ ସୁପରିଚାଳନା ସୁବିଧା ପ୍ରକଳ୍ପ। ସମ୍ପୃକ୍ତ ଅଞ୍ଚଳରୁ ଘର ଘର ବୁଲି ସେସପୁଲ ଜରିଆରେ ସେଫଟିକ ଟାଙ୍କିରୁ ମଳକୁ ଅଣାଯାଇ ଏହି ପ୍ରକଳ୍ପରେ ଉପଚାର କରାଯିବ। ଖୁବଶୀଘ୍ର ଆଉ ଏକ ପ୍ରକଳ୍ପ କରାଯିବା ପାଇଁ ସ୍ଥାନ ସନ୍ଧାନରେ ବିଏମସି ଥିବା ସୂଚନା ଦେଇଛନ୍ତି ଡେପୁଟି କମିଶନର।

କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଦୃଷ୍ଟିରୁ ଉତ୍ତମ ପରିବେଶ ମଧ୍ୟ ଜରୁରୀ । ୨୦୧୮ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ବିଜ୍ଞପ୍ତିକୁ ସଫଳ ରୂପାୟନ କରିବାରେ ଓଡିଶା ହେଉଛି ପ୍ରଥମ ରାଜ୍ୟ। ମଳ ପରିଚାଳନା କ୍ଷେତ୍ରରେ ବିଏମସିର ପଦକ୍ଷେପ ଅନ୍ୟ ସହର ଓ ରାଜ୍ୟ ପାଇଁ ଆଦର୍ଶ ହୋଇଛି। ଲୋକସଂଖ୍ୟା ଦୃଷ୍ଟିରୁ ଏକାଧିକ ପ୍ରକଳ୍ପ ସ୍ଥାପନ ଜରୁରୀ ବୋଲି କହିଛନ୍ତି ପରିବେଶବିତ।

ପାଇଖାନାକୁ ବାଧ୍ୟତାମୂଳକ କରିବା ସହ ବିଭିନ୍ନ ସ୍ଥାନରେ ସ୍ଥାପିତ ହୋଇଛି ପବ୍ଲିକ ଟଇଲେଟ। କେବଳ ଏହି ପ୍ରକଳ୍ପ ଜରିଆରେ ଯେ ମଳ ପରିଚାଳନା ସମ୍ଭବ ଏହା ନୁହେଁ ବରଂ ଏଥିରୁ କମ୍ପୋଷ୍ଟ ପ୍ରସ୍ତୁତ କରି ବିଏମସି ନିଜର ରାଜସ୍ୱ ବୃଦ୍ଧି କରିପାରିବ।

Latest Posts

Don't Miss