ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ ଘଟଣା: ବିଜେପି କର୍ପୋରେଟରଙ୍କ ସମେତ ତିନି ଗିରଫ

ନନ୍ଦିଘୋଷ ବ୍ୟୁରୋ: ବିଏମସି କାର୍ଯ୍ୟାଳୟରେ ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ୩ ଜଣଙ୍କୁ ଗିରଫ କଲା ପୋଲିସ । ବିଜେପି କର୍ପୋରେଟର ଜୀବନ ରାଉତ, ରଶ୍ମୀ ମହାପାତ୍ର ଏବଂ ଦେବାଶିଷ ପ୍ରଧାନଙ୍କୁ ବାନ୍ଧିଲା ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

ଜୀବନ ରାଉତ ୨୯ ନମ୍ବର ଓ୍ବାର୍ଡର ବିଜେପି କର୍ପୋରେଟର । ଗିରଫ ଅଭିଯୁକ୍ତ ବିଜେପି କର୍ମୀ ଓ ନେତା । ତେବେ ଜଗନ୍ନାଥ ପ୍ରଧାନ ଗିରଫ ନହେବାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । କାରଣ ଜଗନ୍ନାଥ ପ୍ରଧାନଙ୍କ ନାଁରେ ହୋଇଛି ଅଭିଯୋଗ । ଆକ୍ରମଣକାରୀ ନେଇଥିଲେ ଜଗନ୍ନାଥ ପ୍ରଧାନଙ୍କ ନାଁ । ଏହି ଘଟଣା ପରେ ପଦାରେ ପଡ଼ିଛି ବିଜେପିର ଦାଦାଗିରି ।

ସେପଟେ ଅଭିଯୁକ୍ତଙ୍କ ଗିରଫ ଦାବିରେ ରାଜରାସ୍ତାକୁ ଓହ୍ଲାଇଥିବା ବିଜେଡି ନେତାଙ୍କୁ ଗିରଫ କରିଛି ପୋଲିସ । ଅନ୍ୟପଟେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରା ନଯିବା ପର୍ଯ୍ୟନ୍ତ ବିଏମସି ସେବା ଦେବନି ବୋଲି ଚେତାବନୀ ଦେଇଛନ୍ତି ବିଏମସି ମେୟର । ଅପରପକ୍ଷରେ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଓଏଏସ ସଂଘ ଦାବି କରିଛି । ଘଟଣା ପଛରେ ଥିବା ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି । ଏଭଳି ଆକ୍ରମଣକୁ ବର୍ବରୋଚିତ କହିଛି ଓଏଏସ ସଂଘ । ନ୍ୟାୟ ନମିଳିଲେ କଲମ ଛାଡ଼ ଆନ୍ଦୋଳନ କରିବାକୁ ସଂଘ ଚେତାବନୀ ଦେଇଛି ।

ଅଭିଯୋଗ ଶୁଣାଣି ବେଳେ ଆଜି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ କରିଛନ୍ତି କିଛି ଦୁର୍ବୃତ୍ତ । ଆକ୍ରମଣ ବେଳର ଭିଡିଓ ଲାଗିଛି ନନ୍ଦିଘୋଷ ଟିଭି ହାତରେ । ଯେଉଁ ଭିଡିଓରେ ଅତିରିକ୍ତ କମିଶନରଙ୍କୁ ଦୁର୍ବୃତ୍ତମାନେ ଘୋଷାଡି ଘୋଷାଡ଼ି ନେବା ସହ ଗୋଇଠା ମାରୁଥିବା ଦେଖିବାକୁ ମିଳିଛି । ସରକାରୀ ଅଧିକାରୀଙ୍କ ମାଡ଼ ମାରିବା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସରକାରୀ କର୍ମଚାରୀ । ତୁରନ୍ତ ଅଭିଯୁକ୍ତଙ୍କ ଗିରଫ ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି କର୍ପୋରେଟର ଓ କର୍ମଚାରୀ । ଏହାସହ ଓଏଏସ ସଂଘ ମଧ୍ୟ ଆକ୍ରମଣ ଘଟଣାକୁ କଡ଼ା ନିନ୍ଦା କରିଛି । ଏନେଇ ଥାନାରେ ଏତଲା ଦିଆଯାଇଛି ।

ଆହତ ଅତିରିକ୍ତ କମିଶନର ଏଫଆଇଆରରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ତାଙ୍କ କହିବା ଅନୁସାରେ, ଜଗନ୍ନାଥ ପ୍ରଧାନଙ୍କ ନାଁରେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ । ଜଗନ୍ନାଥ ପ୍ରଧାନଙ୍କୁ କ୍ଷମା ମାଗିବା ପାଇଁ କହିଥିଲେ ଆକ୍ରମଣକାରୀ । ଏହାସହ ମୋବାଇଲ ଛଡ଼ାଇ ନେଇଥିଲେ । ମୋବାଇଲ ଛଡ଼ାଇ ନେବା ପରେ ହ୍ବାଟ୍ସଆପ ଷ୍ଟାଟସରେ ଦେଇଥିଲେ ଆପତ୍ତିଜନକ ଛବି । ପୋଲିସ ନିକଟରେ ଏହାର ସ୍କ୍ରିନସଟ୍ ଦାଖଲ ହୋଇଛି ।

ଅନ୍ୟପଟେ ଶୀଘ୍ର କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି ବିଏମସି କମିଶନର । ଆଗରୁ କେବେ ଏମିତି ହୋଇ ନଥିଲା, ଏହା ପ୍ରଥମ । ଦୁର୍ବୃତ୍ତମାନେ ରତ୍ନାକର ସାହୁଙ୍କୁ ଜୋରଦାର ଆକ୍ରମଣ କରିଛନ୍ତି । ସୂଚନାଯୋଗ୍ୟ, ଜୀବନ ରାଉତ ପୂର୍ବରୁ ମଧ୍ୟ ବନ୍ଧା ହୋଇଥିଲେ । ପୋଲିସକୁ ଦୁର୍ବ୍ୟବହାର ଅଭିଯୋଗରେ ବନ୍ଧା ହୋଇଥିଲେ ବିଜେପି କର୍ପୋରେଟର ଜୀବନ ରାଉତ ।