ଖୋର୍ଦ୍ଧାରେ ଖସୁଛି ଦୈନିକ କରୋନା ମାମଲା; ସଂକ୍ରମଣ ରୋକିବା ସମସ୍ତଙ୍କ ଦାୟିତ୍ୱ ବୋଲି କହିଲେ ଲକ୍ଷ୍ମୀକାନ୍ତ ସେଠୀ

ଭୁବନେଶ୍ୱର: ଦୀର୍ଘ ଦିନ ପରେ ଖୋର୍ଦ୍ଧା ଜିଲ୍ଲାରେ ଶହେ ତଳକୁ ଖସିଛି ଦୈନିକ କରୋନା ସଂକ୍ରମଣ। ରାଜ୍ୟର ୨୦ ଜିଲ୍ଲାରେ ୧୭୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ମାତ୍ର ୬୧ଜଣ ଚିହ୍ନଟ ହୋଇଛନ୍ତି। ୧୦ଟି ଜିଲ୍ଲାରୁ କେହି କରୋନା ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ଭୁବନେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ପ୍ରଥମ ଥର ପାଇଁ ୫୦ ତଳକୁ ଖସିଛି ।

ଏନେଇ ରାଜଧାନୀ ବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ। ସେ କହିଛନ୍ତି ଯେ ପାର୍ବଣରେ ସଂକ୍ରମଣ ବଢ଼ିବା ନେଇ ଆଶଙ୍କା କରାଯାଉଥିଲା । ତେବେ ଲୋକ ସଚେତନ ହୋଇ କଟକଣା ମାନିଥିବାରୁ ଏହି ସ୍ଥିତି ଠିକ୍ ରହିଛି । ତଥାପି ଏବେ ଅବହେଳା ନକରି ଅନୁଶାସନ ଭିତରେ ରହି ସଂକ୍ରମଣ ସଂଖ୍ୟାକୁ ଶୂନରେ ପହଞ୍ଚାଇବା ସମସ୍ତଙ୍କ ଦାୟିତ୍ୱ ବୋଲି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି। ଯେପର୍ଯ୍ୟନ୍ତ କରୋନା ସଂକ୍ରମଣ ଶୂନରେ ନପହଞ୍ଚିଛି ସେଯାଏଁ ଆମକୁ ସତର୍କ ଓ ସଚେତନ ରହିବାକୁ ପଡିବ। କରୋନା ଭାଇରସ୍ ସମ୍ପୂର୍ଣ୍ଣ ଦୂରେଇ ନଯିବା ଯାଏଁ ଆମର ଏହି ଯୁଦ୍ଧ ଚାଲି ରହିବ ବୋଲି ସେ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି । କାରଣ ସଂକ୍ରମଣ ବଢିବା ଓ କମିବା ଲୋକଙ୍କ ଉପରେ ନ୍ୟସ୍ତ।

 

ରାଜ୍ୟରେ ଦିନକରେ ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରେ ସଂଗରୋଧରୁ ୯୮ ଓ ସ୍ଥାନୀୟ ଅଞ୍ଚଳରୁ ୭୨ ସଂକ୍ରମିତ ରହିଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୨୪ ଜଣ । ୩ ହଜାର ୬୫୧ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ ରହିଥିବା ବେଳେ  ମୋଟ କରୋନା ମୃତ୍ୟୁ ସଂଖ୍ୟା ୮ ହଜାର ୩୫୦କୁ ବୃଦ୍ଧି ପାଇଛି । ତେବେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ଜଣଙ୍କ ଜୀବନ ନେଇଛି କରୋନା ଭାଇରସ ।

Leave a Reply