ବିଜେପି ଆସିଲା, ବିପଦ ବଢ଼ିଲା, ରାଜ୍ୟରେ ସୃଷ୍ଟି ହେଲାଣି ରକ୍ତାଭାବ
1 min read
ଭୁବନେଶ୍ବର: ରାଜ୍ୟରୁ ବିଜେଡି ସରକାର ଗଲା ପରେ ଓଡିଶାକୁ ଗୋଟିଏ ପରେ ଗୋଟିଏ ସଙ୍କଟ ମାଡି ଆସୁଛି । ଏହି କ୍ରମରେ ଏବେ ମାଡି ଆସିଛି ରକ୍ତ ସଙ୍କଟ। ରାଜ୍ୟରେ ଏବେ ଦେଖାଦେଇଛି ବ୍ୟାପକ ରକ୍ତାଭାବ । ନା ରକ୍ତଦାନ ବ୍ୟାପକ ହେଉଛି ନା ଅପଡେଟ ହେଉଛି ଇ-ବ୍ଲଡ଼ ପୋର୍ଟାଲ । ଯେଉଁଥିପାଇଁ ଯାଉଛି ଅନେକ ଜୀବନ । ଏପରିକି ବିଜେଡି ସରକାର ଆରମ୍ଭ କରିଥିବା ଜନନୀ ସୁରକ୍ଷା ଓ ଜନନୀ ଶିଶୁ ସୁରକ୍ଷା ସ୍କିମରେ ମାଗଣା ରକ୍ତଦାନ ବ୍ୟବସ୍ଥା ମଧ୍ୟ ବାଟବଣା ହୋଇଛି । ଯାହାକୁ ନେଇ ତେଜିଛି ରାଜନୀତି । ସବୁ ରାଜନୈତିକ ଦଳ ସରକାରଙ୍କ ଏହି ଆଭିମୁଖ୍ୟକୁ ନିନ୍ଦା କରିଥିବା ବେଳେ ସରକାର ତୁରନ୍ତ ରକ୍ତଦାନ ବ୍ୟବସ୍ଥା ଓ ଏ ସମ୍ପର୍କିତ ସ୍କିମକୁ ବ୍ୟବସ୍ଥିତ କରି ଲୋକଙ୍କ ଜୀବନ ବଞ୍ଚାନ୍ତୁ ବୋଲି ଦାବି ହୋଇଛି ।
ବିଜେପି ଆସିଲା ବିପଦ ବଢିଲା । ରାଜ୍ୟରେ ସୃଷ୍ଟି ହେଲାଣି ରକ୍ତାଭାବ । ନବୀନଙ୍କ ପାଇଁ ପ୍ରତିଟି ଜୀବନ ଥିଲା ମୂଲ୍ୟବାନ । ହେଲେ ମୋହନଙ୍କ ସରକାରରେ ମଳିନ ପଡିଛି ମିଶନ । ଯାହାକୁ ନେଇ ବଢିଛି ଅସନ୍ତୋଷ । ଏପରିକି ଠିକ ସମୟରେ ଅପଡେଟ ହେଉନି ଇ-ବ୍ଲଡ଼ ବ୍ୟାଙ୍କ ତଥ୍ୟ। ରାଜ୍ୟର ଅନେକ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖିବାକୁ ମିଳିଛି । ସାଧାରଣ ରୋଗୀଙ୍କୁ ରକ୍ତ ମିଳିବା ତ ଦୂରର କଥା ଥାଲାସେମିଆ ଓ ସିକିଲସେଲ ଆନିମିଆରେ ପୀଡ଼ିତ ଥିବା ରୋଗୀ ମଧ୍ୟ ହନ୍ତସନ୍ତ ହେଉଛନ୍ତି । ଏପଟେ ଠିକ ସମୟରେ ରକ୍ତଭଣ୍ଡାରର ତଥ୍ୟ ଦିଆଯାଉ ନାହିଁ । ଯାହା ଫଳରେ ଅନେକ ରୋଗୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ନେଇ ରକ୍ତ ନିରାପତ୍ତା ସୁରକ୍ଷା ନିର୍ଦ୍ଦେଶକ ପ୍ରଦୀପ କୁମାର ପାତ୍ରଙ୍କ କହିବା କଥା ରକ୍ତ ସମ୍ପର୍କିତ ଡାଟା ପାଇଁ ଦୁଇଟି ପୋର୍ଟାଲ ରହିଛି । ଗୋଟିଏ ହେଲା ରାଜ୍ୟ ସରକାରଙ୍କ ଇ-ବ୍ଲଡ଼ ବ୍ୟାଙ୍କ ଓ ଅନ୍ୟଟି ହେଉଛି କେନ୍ଦ୍ର ସରକାରଙ୍କ ଇ-ରକ୍ତକୋଷ ପୋର୍ଟାଲ । ଏହି ଦୁଇଟି ପ୍ଲାଟଫର୍ମ ମିଳିତ ଭାବରେ କାମ କରୁଛନ୍ତି । ସେଥିରୁ କେଉଁ ବ୍ଲଡ ବ୍ୟାଙ୍କରେ ବିଭିନ୍ନ ବ୍ଲଡ ଗ୍ରୁପର କେତେ ରକ୍ତ ରହିଛି ସମସ୍ତ ସୂଚନା ଦିଆଯାଇଥାଏ । କିନ୍ତୁ ଏହାକୁ ନେଇ ଏବେ ଦ୍ଵନ୍ଦରେ ପଡ଼ୁଛନ୍ତି ଲୋକେ । ଏହାକୁ ଠିକ ସମୟରେ ଅପଡେଟ କରାଯାଉନାହିଁ । କିଛି ହସ୍ପିଟାଲକୁ ଛାଡିଦେଲେ ବାକି ହସ୍ପିଟାଲର ରକ୍ତଭଣ୍ଡାରର ତଥ୍ୟ ଇ- ବ୍ଲଡ଼ ପୋର୍ଟାଲରେ ରଖାଯାଉ ନାହିଁ। ଏପରିକି ପୂର୍ବ ସରକାର ସମୟରେ ସରକାରଙ୍କ ପ୍ରତ୍ୟକ୍ଷ ଉଦ୍ୟମ ଯୋଗୁ ବ୍ୟାପକ ରକ୍ତଦାନ କାର୍ଯ୍ୟକ୍ରମ ହେଉଥିଲା ଓ ବହୁ ଲୋକେ ସ୍ବେଚ୍ଛାକୃତ ଭାବେ ରକ୍ତଦାନରେ ସାମିଲ ହେଉଥିଲେ । କିନ୍ତୁ ବର୍ତ୍ତମାନ ସରକାରୀ ସ୍ତରରେ ଏହି ଉଦ୍ୟମ ଠପ। ଯାହାର ପରିଣାମ ଲୋକଙ୍କୁ ଭୋଗିବାକୁ ପଡୁଥିବା କହିଛନ୍ତି ରକ୍ତଦାନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ବେଛାସେବୀ ଅନୁଷ୍ଠାନ।
ସେପଟେ ରାଜ୍ୟରେ ରକ୍ତ ସଂକଟକୁ ନେଇ ବିଜେପି ସରକାରଙ୍କୁ ଦାୟୀ କରିଛନ୍ତି ପ୍ରମୁଖ ରାଜନୈତିକ ଦଳ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନୁଷ୍ଠାନ । ବିଜେଡି ସରକାର ସମୟରେ ରାଜ୍ୟରେ ରକ୍ତଦାନ ସମ୍ପର୍କିତ ୪/୫ଟି ଯୋଜନା ଚାଲୁଥିଲା । ଜନନୀ ଶିଶୁ ସରକ୍ଷା ଯୋଜନା, ଜନନୀ ସୁରକ୍ଷା ଯୋଜନାରେ ମାଗଣା ରକ୍ତ ଯୋଜନା ହୋଇଥିଲା । ସେହିଭଳି ସିକିଲ ସେଲ ଆନେମିଆ ଓ ଥାଲାସେମିଆ ରୋଗୀଙ୍କ ପାଇଁ ମାଗଣା ରକ୍ତ ଓ ଗସ୍ତଖର୍ଚ୍ଚ ବ୍ୟବସ୍ଥା ଥିଲା । ସେହି ଯୋଜନା ଏବେ ବି ଅଛି କିନ୍ତୁ ଏବେର ସରକାର ଏହାକୁ କାର୍ଯ୍ୟକାରୀ ନ କରି ଦ୍ବନ୍ଦ୍ୱ ଭିତରେ ରଖିଛନ୍ତି । ବ୍ୟବସ୍ଥା ଓ ବଜେଟ ଥିବା ସତ୍ତ୍ୱେ କାହିଁକି ଏସବୁ କାର୍ଯ୍ୟକାରୀ ହେଉନି ବୋଲି ପ୍ରଶ୍ନ ଉଠିଛି । ରାଜ୍ୟରେ ରକ୍ତର ସ୍ଥିତି ନେଇ ଅଡିଟ ହେଉ ଓ ଏହି ତଥ୍ୟ ସାର୍ବଜନୀନ ହେଉ। ବ୍ଲଡ଼ ବ୍ୟାଙ୍କରେ ରକ୍ତ ସମ୍ପର୍କିତ ତଥ୍ୟ ଡିସପ୍ଲେ ପାଇଁ ମଧ୍ୟ ଦାବି ହୋଇଛି। ସେପଟେ ବିଜେଡି ମଧ୍ୟ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ସରକାର ଗୁରୁତ୍ୱ ଦେବାକୁ ଦାବି କରିଛି ।
କଟକ, ଭୁବନେଶ୍ଵର, ବାରିପଦା, ସମ୍ବଲପୁରରେ ଅଧିକ ମାତ୍ରାରେ ରକ୍ତର ଆବଶ୍ୟକତା ରହିଥାଏ। ଏପରିକି ସିକିଲ ସେଲ ପାଇଁ ମଧ୍ୟ ସମ୍ବଲପୁର, ଝାରସୁଗୁଡା, ଗଜପତି ଅନୁଗୋଳ ଆଦି ଜିଲ୍ଲା ଗୁଡିକରେ ମଧ୍ୟ ରକ୍ତର ଅଧିକ ଆବଶ୍ୟକତା ରହିଛି । ସେହିପରି ବିଭିନ୍ନ ମେଜର ଅପରେସନ ଓ ଦୁର୍ଘଟଣା ହେଉ କୌଣସି ଜରୁରୀକାଳିନ ସେବା ମାଧ୍ୟମରେ ମଧ୍ୟ ରକ୍ତର ବ୍ୟବହାର ବୃଦ୍ଧି ପାଉଛି । ୨୦୧୯ ମସିହାରେ ମୋଟ ରକ୍ତ ସଂଗ୍ରହ କରାଯାଇଥିଲା ୪ ଲକ୍ଷ ୨୯ ହଜାର ୮୨୩ ୟୁନିଟ। ସେହିପରି ୨୦୨୦ ରେ ମୋଟ ରକ୍ତ ସଂଗ୍ରହ କରାଯାଇଥିଲା ୩ ଲକ୍ଷ ୮୨ ହଜାର ୧୨୨ ୟୁନିଟ । ୨୦୨୧ ରେ ମୋଟ ରକ୍ତ ସଂଗ୍ରହ କରାଯାଇଥିଲା ୪ ଲକ୍ଷ ୩୦ ହଜାର ୧୫୩ ୟୁନିଟ। ୨୦୨୨ ମସିହାରେ ମୋଟ ରକ୍ତ ସଂଗ୍ରହ ହୋଇଥିଲା ୪ ଲକ୍ଷ ୯୮ ହଜାର ୪୮୨ ୟୁନିଟ। ୨୦୨୩ ରେ ରକ୍ତ ସଂଗ୍ରହ ହୋଇଥିଲା ୫ ଲକ୍ଷ ୩୯ ହଜାର ୩୮୮ ୟୁନିଟ। ସେହିଭଳି ୨୦୨୪ ମସିହାରେ ରକ୍ତ ସଂଗ୍ରହ ହୋଇଥିଲା ୫ ଲକ୍ଷ ୬୦ ହଜାର ୪୨୦ ୟୁନିଟ। ଏବେ ଧୀରେ ଧୀରେ ରକ୍ତଦାନ କ୍ୟାମ୍ପ କମି କମି ଯାଉଥିବା ବେଳେ ସରକାରୀ ଯୋଜନା ବାଟବଣା ହେବାରୁ ରାଜ୍ୟରେ ରକ୍ତ ସଙ୍କଟ ବ୍ୟାପକ ହେବାରେ ଲାଗିଛି ।