ଚେନ୍ନାଇ ଫେରନ୍ତା ପ୍ରବାସୀ ଓଡ଼ିଆଙ୍କ ସ୍ୱାବ୍‌ ସଂଗ୍ରହ

ଚେନ୍ନାଇରୁ ଡଙ୍ଗା ସହାଯ୍ୟରେ ଶନିବାର ସନ୍ଧ୍ୟାରେ ଗୋପାଳପୁର ବନ୍ଦରରେ ପହଞ୍ଚିଥିବା ପ୍ରବାସୀ ଓଡ଼ିଆଙ୍କର ଆଜି ସ୍ୱାବ୍‌ ସଂଗ୍ରହ କରାଯିବ । ସେମାନେ ବେଆଇନ୍‌ ଓ ବିପଦପୂର୍ଣ୍ଣ ଭାବେ ସୁଦୂର ଚେନ୍ନାଇରୁ ଡଙ୍ଗା ଯୋଗେ ଓଡ଼ିଶା ଆସିଛନ୍ତି । ଖବର ପାଇ ସ୍ଥାନୀୟ ପ୍ରଶାସନ ସମୂଦ୍ରକୂଳରେ ପହଞ୍ଚି ସେମାନଙ୍କୁ ଅଟକାଇଥିଲା । ପରେ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖିବାର ପ୍ରକ୍ରିୟା ଆରମ୍ଭ କରିଛି ପ୍ରଶାସନ ।

ଚେନ୍ନାଇରୁ ଗୋଟିଏ ଯାନ୍ତ୍ରୀକ ଡଙ୍ଗା‌ ସାହାଯ୍ୟରେ ଓଡିଶା ଓ ଆନ୍ଧ୍ର ପ୍ରଦେଶର ଲୋକେ ଶନିବାର ଗଞ୍ଜାମ ପାତିସୁନାପୁରରେ ପହଞ୍ଚିଛନ୍ତି । ୧୪ ଦିନ ସେମାନେ କ୍ୱାରେଣ୍ଟାଇନ୍‌ରେ ରହିବା ପରେ ସେମାନେ ନିଜ ଘରକୁ ଯାଇପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଘର ଲୋକଙ୍କ ଠାରୁ ଲକ୍ଷେ ଟଙ୍କା ମଗାଇ ସେମାନେ ଏକ ଡଙ୍ଗା କିଣି ଭୋକ ଉପାସରେ ଆସି ଓଡ଼ିଶାରେ ପହଞ୍ଚିଥିବା ଜଣାପଡ଼ିଛି ।

ଲକ୍‌ଡାଉନ୍‌ ସମୟରେ ରାଜ୍ୟ ବାହାରେ ରହୁଥିବା ଲୋକେ ଏବେ ଘର ମୁହାଁ ହୋଇଛନ୍ତି । ପୂର୍ବରୁ ମଧ୍ୟ ଏକ ଟ୍ରଲର ମାଧ୍ୟମରେ ଓଡ଼ିଶାରେ କିଛି ପ୍ରବାସୀ ଓଡ଼ିଆ ଓଡ଼ିଶାରେ ପହଞ୍ଚିଥିଲେ । ସେମାନଙ୍କୁ ଚିହ୍ନଟ କରାଯାଇ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି ।

ତେବେ ଶନିବାର ଚେନ୍ନାଇରୁ ଆସିଥିବା ଏହି ଡଙ୍ଗାରେ ପାତିସୁନାପୁର ଗାଁର ୨୮ ଜଣ, ରାମେୟାପାଟଣା ୪ଜଣ, ଆନ୍ଧ୍ରପ୍ରଦେଶର ୬ ଜଣ ଲୋକ ଥିବା ଜଣାପଡିଛି । ବିପଦ ସଙ୍କୁଳ ଅବସ୍ଥାରେ ଭୋକ ଉପାସରେ ଅଧିକ ଖର୍ଚ୍ଚାନ୍ତ ହୋଇ ଏହି ପ୍ରବାସୀ ଓଡ଼ିଆମାନେ ଘରକୁ ଫେରିଥିବା କୂହାଯାଉଛି ।

Leave a Reply