ଭୁବନେଶ୍ବର : ନିର୍ବାଚିତ ପ୍ରତିନିଧି ନୁହେଁ, ପଞ୍ଚାୟତରେ ସର୍ବେସର୍ବା ହେବେ ସରକାରୀ ବାବୁ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିଜେପି ସରକାରଙ୍କ ଏପରି ନୂଆ ବ୍ୟବସ୍ଥାକୁ ନେଇ ଓଡିଶା ରାଜନୀତି ହଲଚଲ । ବ୍ଲକ ଓ ପଞ୍ଚାୟତ ସମିତି ଅଧ୍ଯକ୍ଷଙ୍କ କ୍ଷମତା ସଙ୍କୁଚିତ କରିଛନ୍ତି ରାଜ୍ୟ ସରକାର ।ଏଣିକି ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପର ବିଲ୍ ପାସ୍ ପାଇଁ ଆଉ ଖୋଜାପଡ଼ିବେନି ବ୍ଲକ ଅଧ୍ୟକ୍ଷ । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ବିଜେଡି ବିଧାୟକ ଅରୁଣ ସାହୁ ଅଭିଯୋଗ କରିଛନ୍ତି- ଭୋଟ ଚୋରିରୁ ବ୍ଲକ ଚୋରି ଯାଏ ମାତିଛି ବିଜେପି । ରାଜ୍ୟରେ ବିଜେପି ସରକାର ବର୍ତ୍ତମାନ ଗଣତାନ୍ତ୍ରିକ ପଦ୍ଧତିକୁ ମାରି ଦେବାକୁ ଯାଉଛନ୍ତି।ବ୍ଲକ୍ ପ୍ରତିନିଧିଙ୍କ କ୍ଷମତା କମାଇ ସମ୍ବିଧାନକୁ ହତ୍ୟା କରୁଛନ୍ତି। ଜନ ପ୍ରତିନିଧିଙ୍କୁ କ୍ଷମତା ଦେବାକୁ କହି ବାବୁଙ୍କ ହାତରେ କ୍ଷମତା ଟେକି ଦେଉଛନ୍ତି। ବର୍ତ୍ତମାନ ବିଜେଡିର ୯୦ ଭାଗ ବ୍ଲକ ଅଧ୍ୟକ୍ଷ ଅଛନ୍ତି। ଏପରି କ୍ଷମତା ହ୍ରାସ ହତ୍ୟା ସହ ସମାନ । ଏ ନିଷ୍ପତ୍ତି ପରିବର୍ତ୍ତନ ନ ହେଲେ ବ୍ଳକର ଅଧ୍ୟକ୍ଷ କୋର୍ଟର ଆଶ୍ରୟ ନେବା ସହ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛି ଦଳ। ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି- ବିଭିନ୍ନ ସମୟରେ ବିଭିନ୍ନ ସଂଶୋଧନ କରାଯାଇଥାଏ । ଏହା ଲୋକଙ୍କ ହିତ ଦୃଷ୍ଟିରୁ ଏବଂ ଓଡିଶାର ବିକାଶ କିଭଳି ଅଧିକରୁ ଅଧିକ ହୋଇପାରିବ ସେଥିପାଇଁ ହେଉଛି । ଏହା କାହା ପ୍ରତି କୁଠାରାଘାତ ନୁହେଁ । ଯେତେବେଳେ ଲୋକଙ୍କର କିମ୍ବା ଅଞ୍ଚଳର କାମ ନ ହେବ, ଉନ୍ନତି ନ ହେବ, ସେତେବେଳେ ସ୍ୱର ଉଠିବ ।
ବ୍ଲକ ଅଧ୍ୟକ୍ଷଙ୍କ କ୍ଷମତା ହ୍ରାସ କରିବା ପ୍ରସଙ୍ଗ ନେଇ ତେଜିଛି ରାଜନୀତି । ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି ପଂଚାୟତରେ ୧୩ ମାସ ହେବ ମାଟିଟିଏ ପଡିନାହିଁ । ୯୦ ପ୍ରତିଶତ ବ୍ଲକରେ ବିଜେଡି ଅଧ୍ୟକ୍ଷ ଥିବାରୁ ସରକାର ଏପରି ରାଜନୈତିକ ନିଷ୍ପତ୍ତି ନେଇଛନ୍ତି ଯାହା ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବିପଦ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି- ରାଜ୍ୟରେ ୯୦ ଭାଗ ବ୍ଳକ ଅଧ୍ଯକ୍ଷ ଏବେ ବିଜେଡି ସମର୍ଥିତ । ଏହି କ୍ଷମତା ଯୋଗୁ ସେମାନେ ବିଜେପି ବିଧାୟକଙ୍କୁ ବି ଖାତିର କରୁନଥିଲେ । ବିଜେପିର ବ୍ଲକ ଅଧକ୍ଷ କେହି ନାହାନ୍ତି। ସେଥିପାଇଁ ଆଗାମୀ ନିର୍ବାଚନକୁ ନଜରରେ ରଖି ଉଦ୍ଦେଶ୍ୟମୂଳକ ଭାବେ ବ୍ଲକ ଅଧ୍ଯକ୍ଷଙ୍କ କ୍ଷମତାକୁ ରାଜ୍ୟ ସରକାର ସଙ୍କୁଚିତ କରିଛନ୍ତି। ବିଜେପି କିନ୍ତୁ ବିକଶିତ ଓଡିଶା ସ୍ବପ୍ନର ଆଳ ଦେଖାଇ ଏ ଅଭିଯୋଗକୁ ଖଣ୍ଡନ କରିଛି । ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ କରିବା ପରିବର୍ତ୍ତେ ରାଜ୍ୟ ସରକାର ରାଜନୈତିକ ସ୍ବାର୍ଥ ପାଇଁ ଦୁର୍ବଳ କରୁଛନ୍ତି । ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

