ପଞ୍ଚାୟତସ୍ତରୀୟ ନିର୍ବାଚିତ ପ୍ରତିନିଧିମାନଙ୍କ କ୍ଷମତା ସଂକୁଚିତ କରିଦେବେ କି ରାଜ୍ୟ ସରକାର ?

ଭୁବନେଶ୍ଵର : ପଞ୍ଚାୟତସ୍ତରୀୟ ନିର୍ବାଚିତ ପ୍ରତିନିଧିମାନଙ୍କ କ୍ଷମତା ସଂକୁଚିତ କରିଦେବେ କି ରାଜ୍ୟ ସରକାର। ଏପରି ସନ୍ଦେହର କାରଣ ହେଲା ଗତକାଲିର କ୍ୟାବିନେଟ ନିଷ୍ପତ୍ତି। ଏହି ନିଷ୍ପତ୍ତି ଅନୁସାରେ ପଞ୍ଚାୟତ ସମିତି କାର୍ଯ୍ୟର ବିଲ୍ ପାସ୍ କରିବା ପାଇଁ ବିଡିଓଙ୍କ ଆର୍ଥିକ କ୍ଷମତା ପ୍ରତି ସ୍ଵାକ୍ଷର ବିନା ୨ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି କ୍ୟାବିନେଟ ନିଷ୍ପତ୍ତି ପରେ ଓଡ଼ିଶା ପଞ୍ଚାୟତ ସମିତି ହିସାବ ପ୍ରଣାଳୀ ନିୟମାବଳୀ, ୨୦୦୨ ଅଧୀନରେ ନିର୍ଦ୍ଧାରିତ ବୈଷୟିକ ମଞ୍ଜୁରୀ ଓ ପ୍ରଶାସନିକ ଅନୁମୋଦନ ସୀମାକୁ ବୃଦ୍ଧି କରାଯାଇଛି । ବିଜେଡି ଅଭିଯୋଗ କରିଛି, ବ୍ଲକ ଅଧ୍ୟକ୍ଷଙ୍କ କ୍ଷମତା ସଂକୁଚିତ କରିବାକୁ ଏହା ବିଜେପି ସରକାରଙ୍କ ଷଡ଼ଯନ୍ତ୍ର। ପଂଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ବିଜେପି ସରକାର ସବୁ କ୍ଷମତାକୁ ଅପହରଣ କରିବାକୁ ଷଡ଼ଯନ୍ତ୍ର କରି କ୍ୟାବିନେଟ ମୋହର ମାରିଛନ୍ତି । ପୂର୍ବରୁ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାମ ହେଉଥିଲା । ହେଲେ ବିଜେପି ସରକାରରେ ବିକଶିତ ଗାଁ ବିକଶିତ ଓଡ଼ିଶାରେ କୌଣସି ମୁହୂର୍ତ୍ତରେ ବି ଜିଲ୍ଲାପାଳ ଏହାକୁ ପରିବର୍ତ୍ତନ କରିବାର ବ୍ୟବସ୍ଥା ରହିଛି । ଏହା ଜରିଆରେ ସରକାରୀ ଅଧିକାରୀଙ୍କ ଆଗରେ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନଙ୍କୁ ସରକାର ସମର୍ପଣ କରି ଦେଇଛନ୍ତି । ବିରୋଧୀ ବିଧାୟକ କି ବିରୋଧୀ ପଞ୍ଚାୟତ ପ୍ରତିନିଧିଙ୍କ କଥା ନ ରଖିବାକୁ ଏହା ସରକାରଙ୍କ ନୂଆ ଯୋଜନା ବୋଲି ଆଖ୍ୟା ଦେଇଛି ବିଜେଡି। କାରଣ ଅଧିକାଂଶ ପଞ୍ଚାୟତସ୍ତରୀୟ ଜନ ପ୍ରତିନିଧି ହେଉଛନ୍ତି ବିଜେଡି ସମର୍ଥିତ। କାମ କରି ପାରିବେ ନାହିଁ ବୋଲି ସରକାର ଡରୁଛନ୍ତି। ଏମିତି ପାଞ୍ଚ ବର୍ଷ ପଳେଇବ। ବାବୁରାଜ୍ ଆରମ୍ଭ ହୋଇଛି। ବିଡିଓ ଅଣନିଶ୍ଵାସୀ ହୋଇ ପଡ଼ିଥବା ବିଜେଡି କଟାକ୍ଷ କରିଛି । ନୂଆ ନିୟମ ଜରିଆରେ ସରକାରୀ ବାବୁଙ୍କ ଜରିଆରେ ବ୍ଲକରେ ଦୁର୍ନୀତି କରିବାକୁ ବିଜେପି ଯୋଜନା ରଖିଥିବାର ଅଭିଯୋଗ କରିଛି ବିଜେଡି । ସରକାର ଏହି ଆଦେଶ ପ୍ରତ୍ୟାହାର ନ କଲେ, ପ୍ରତି ବ୍ଲକରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ବିଜେଡି।
ବିଜେପି ସରକାରଙ୍କ କ୍ଷମତା ଅପହରଣ ଷଡ଼ଯନ୍ତ୍ରକୁ ଚିହ୍ନି ବିଜେଡି ସହ ସ୍ଵର ମିଶାଇଛି କଂଗ୍ରେସ । ଅଧିକାଂଶ ବ୍ଲକ ଅଧ୍ୟକ୍ଷ ପଦ ବିଜେଡି ଦଖଲରେ ରହିଥିବାରୁ ପଞ୍ଚାୟତରେ ଦୁର୍ନୀତି କରି ପାରୁନି ବିଜେପି । ଏବେ ସରକାରୀ କର୍ମଚାରୀଙ୍କୁ କ୍ଷମତା ଦେଇ ଦଳୀୟ ଏଜେଣ୍ଟ ଭାବେ ବ୍ୟବହାର କରି ବିଜେପି ନେତା ଦୁର୍ନୀତି କରିବେ ବୋଲି କଂଗ୍ରେସ ଅଭିଯୋଗ କରିଛି । ଅପର ପକ୍ଷରେ ସରକାରଙ୍କ ଓକିଲାତି କରିବାକୁ ଯାଇ ବିଜେପି କହିଛି ଯେ ପଞ୍ଚାୟତକୁ ସଶକ୍ତ କରିବ ଏହି କ୍ୟାବିନେଟ ନିଷ୍ପତ୍ତି । ପଞ୍ଚାୟତକୁ ମିଳୁଥିବା ଅର୍ଥ ରାଶି ବଢିବା ସହ ଦାୟିତ୍ବ ବଢୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଥିବା ବିଜେପି ସଫେଇ ଦେଇଛି। ଆଗକୁ ପଞ୍ଚାୟତ ନିର୍ବାଚନ। ସରକାରଙ୍କ ନୂଆ ନିୟମ ନେଇ ଏବେଠାରୁ ପଞ୍ଚାୟତରେ ଅସ୍ଥିରତା ଦେଖା ଦେଲାଣି ।